ସକାଳ ହେଲେ ଆଜି ବି ହସ୍ପିଟାଲର ୱାର୍ଡକୁ ଚାଲି ଆସନ୍ତି ଏହି ୮୦ ବର୍ଷୀୟା ମହିଳା ଜଣକ। ନାଁ ତାଙ୍କର ହିଦୁମ୍ବି କୌରମ କକ୍କଡ। ଲକ୍ଷଦ୍ୱୀପର କାଭାରତୀସ୍ଥିତ ସରକାରୀ ଇନ୍ଦିରା ଗାନ୍ଧୀ ହସ୍ପିଟାଲରେ ୫୩ ବର୍ଷ ଧରି ନର୍ସ ଭାବେ ସେବା କରିଆସୁଛନ୍ତି ହିନ୍ଦୁମ୍ବି। ହାତରେ ଅଛି ଲମ୍ବା ଅଭିଜ୍ଞତା, ଆଖିରେ ବିପୁଳ ଆତ୍ମବିଶ୍ୱାସ। ଆଉ ଆଜି ପରିଣତ ବୟସରେ ଅଛି ସେବା କରିବାର ସେହି ଅଦମ୍ୟ ଭାବ। ୨୦ ବର୍ଷ ତଳେ ସେ ଚାକିରିରୁ ଅବସର ନେଇଥିଲେ। ତଥାପି ମନରୁ କାମ କରିବାର ଦମ୍ଭ ତୁଟିନି। ତାଙ୍କର ଏହି ସେବା ଭାବ ପାଇଁ ସେ ୨୦୨୩ରେ ଭାରତର ରାଷ୍ଟ୍ରପତି ତାଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ଆୱାର୍ଡରେ ସମ୍ମାନିତ କରିଥିଲେ। ଆଉ ଆଜି ତାଙ୍କ କାହାଣୀ ଆନ୍ତର୍ଜାତିକ ମଞ୍ଚରେ ପହଁଞ୍ଚିଛି।
୨୦୨୬ର Aster Guardians Global Nursing Award ପାଇଁ ସେ ମନୋନୀତ ହୋଇଛନ୍ତି। ୧୩୪ ହଜାରରୁ ଅଧିକ ନର୍ସଙ୍କ ମଧ୍ୟରୁ ହିନ୍ଦୁମ୍ବି ଚୟନ ହୋଇଛନ୍ତି ଶ୍ରେଷ୍ଠ ୧୦ ଫାଇନାଲିଷ୍ଟଙ୍କ ମଧ୍ୟରେ। ଯାହା ଜଣେ ଭାରତୀୟ ଭାବେ ସମସ୍ତଙ୍କୁ ଗର୍ବିତ କରିଛି। ୨୧୪ଟି ଦେଶରୁ ଆସିଥିବା ପ୍ରାର୍ଥୀଙ୍କ ମଧ୍ୟରେ ଲକ୍ଷଦ୍ୱୀପର ଏହି ନର୍ସଙ୍କ ନାଁ ଏବେ ବିଶ୍ୱସ୍ତରୀୟ ଚର୍ଚ୍ଚାରେ।
ହିଦୁମ୍ବିଙ୍କ ଏହି ସେବା ଯାତ୍ରା ଆରମ୍ଭ ହୋଇଥିଲା ଏକ ଏମିତି ସମୟରେ, ଯେତେବେଳେ ଲକ୍ଷଦ୍ୱୀପରେ ଚିକିତ୍ସା ବ୍ୟବସ୍ଥା ଆଜି ଭଳି ସହଜ ନ ଥିଲା। ନର୍ସିଂ ଶିକ୍ଷା ପାଇଁ ସେ କେରଳର କୋଝିକୋଡେ ମେଡିକାଲ କଲେଜକୁ ଯାଇଥିଲେ। ଶିକ୍ଷା ଶେଷ କରି ନିଜ ଜନ୍ମମାଟି ଦ୍ୱୀପକୁ ଫେରିବା ବେଳେ ଚିକିତ୍ସା ବ୍ୟବସ୍ଥାର ଅଭାବ ତାଙ୍କ ସାମ୍ନାରେ ସ୍ପଷ୍ଟ ହୋଇଥିଲା। ଜରୁରୀ ରୋଗୀଙ୍କୁ ଗୋଟିଏ ଦ୍ୱୀପରୁ ଅନ୍ୟ ଦ୍ୱୀପକୁ ନେବା ପାଇଁ କେବେ ମାଛଧରା ଡଙ୍ଗା, ତ କେବେ ନୌସେନାର ଜାହାଜ ଉପରେ ନିର୍ଭର କରିବାକୁ ପଡୁଥିଲା। କୋଚିରୁ ଆସୁଥିଲା ଅତ୍ୟାବଶ୍ୟକ ଔଷଧ।
ଏଭଳି ପରିସ୍ଥିତିରେ ହିନ୍ଦୁମ୍ବି ସେବା କାର୍ଯ୍ୟ ଆରମ୍ଭ କରିଥିଲେ। ଯାହା ଆମ ପାଇଁ ଅକଳ୍ପନୀୟ ମନେ ହେବ। କେବେ ମାଛଧରା ଡଙ୍ଗାରେ ରୋଗୀଙ୍କୁ ରକ୍ତ ଦେଉଥିଲେ ତ ଆଉ କେବେ ପ୍ରତିକୂଳ ପାଗରେ ସୁରକ୍ଷିତ ପ୍ରସବ କରାଉଥିଲେ। ଶିଖିଥିଲେ, ସୁବିଧା ନ ଥିଲେ ବି ସେବା କେମିତି ଜାରି ରଖିବାକୁ ହୁଏ। ନ ଥିଲା ବଡ଼ ଟିମ୍ କି ଆଧୁନିକ ଯନ୍ତ୍ରପାତି। ୫୩ ବର୍ଷର ଏହି ସେବା ଯାତ୍ରାରେ ସେ ୨୦ ହଜାରରୁ ଅଧିକ ଅପରେସନ୍ ଓ ଜରୁରୀ ଚିକିତ୍ସା ମାମଲାରେ ନିଜ ସେବା ଯୋଗାଇ ଦେଇଥିଲେ ।
କେବଳ ହସ୍ପିଟାଲ ନୁହେଁ। ଘରେ ପ୍ରସବ ପରିବର୍ତ୍ତେ ହସ୍ପିଟାଲରେ ସୁରକ୍ଷିତ ପ୍ରସବ ପାଇଁ ସେ ମହିଳାମାନଙ୍କୁ ବୁଝାଇଛନ୍ତି। ଟିକାକରଣ, ସ୍ୱଚ୍ଛତା ଓ ରୋଗ ପ୍ରତିରୋଧ ନେଇ ସଚେତନ କରିଛନ୍ତି। ଲକ୍ଷଦ୍ୱୀପରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ତାଙ୍କ ଭୂମିକା ସର୍ବାଗ୍ରେ କହିଲେ ଭୁଲ ହେବନି। ଲକ୍ଷଦ୍ୱୀପରେ କଲେରା ଓ କରୋନା ବ୍ୟାପିବା ସମୟରେ ମଧ୍ୟ ସେ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ସେବା।
୨୦୨୬ର Aster Guardians Global Nursing ପୁରସ୍କାରର ବିଜେତା ପାଇବେ ୨ ଲକ୍ଷ ୫୦ ହଜାର ଆମେରିକୀୟ ଡଲାର। ଅବଶ୍ୟ ତାଙ୍କ ସେବା ଓ ସାଧନାରେ ସମର୍ପିତ ଜୀବନ ପାଇଁ ଏହି ଅର୍ଥରାଶି କିଛି ନୁହେଁ । ଏଣୁ ଏହା କେବଳ ଜଣେ ନର୍ସଙ୍କ କାହାଣୀ ବୋଲି ଭାବିବେ ନାହିଁ। ଏହା ହେଉଛି ସେବାକୁ ଜୀବନର ଲକ୍ଷ୍ୟ କରିଥିବା ଜଣେ ମଣିଷର କାହାଣୀ।