ଭୁବନେଶ୍ୱର: ରାଜ୍ୟରେ ଥିବା ଜରାଜୀର୍ଣ୍ଣ ଓ ବିପଦସଙ୍କୁଳ କୋଠାଗୁଡ଼ିକୁ ଚିହ୍ନଟ କରିବା ପାଇଁ ଓଡ଼ିଶା ସରକାର ଆରମ୍ଭ କରିଛନ୍ତି ୧୫ ଦିନିଆ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଅଧିକାରୀମାନଙ୍କୁ ତୁରନ୍ତ ସର୍ଭେ ଶେଷ କରି ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା କୋଠା ବିରୋଧରେ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସରକାରୀ ସୂଚନା ଅନୁସାରେ, ସ୍ୱତନ୍ତ୍ର ଯାଞ୍ଚ ଟିମ୍ ରାଜ୍ୟର ବିଭିନ୍ନ ସହର ଓ ସହରାଞ୍ଚଳରେ ଥିବା ପୁରୁଣା ଏବଂ ଦୁର୍ବଳ କୋଠାଗୁଡ଼ିକର ସଂରଚନାଗତ ସ୍ଥିତି ଯାଞ୍ଚ କରିବ। ୧୫ ଦିନ ମଧ୍ୟରେ ଏହାର ରିପୋର୍ଟ ସରକାରଙ୍କୁ ଦାଖଲ କରାଯିବ। ରିପୋର୍ଟ ଆଧାରରେ ଅତ୍ୟଧିକ ବିପଦସଙ୍କୁଳ କୋଠାଗୁଡ଼ିକୁ ଭଙ୍ଗାଯିବ।
ମନ୍ତ୍ରୀ କହିଛନ୍ତି, ପୂର୍ବରୁ ସରକାରୀ କୋଠାଗୁଡ଼ିକର ଯାଞ୍ଚ କରାଯାଇ ଅନେକ ସ୍ଥାନରେ ନୋଟିସ୍ ଜାରି ହୋଇସାରିଛି। ସମ୍ପ୍ରତି ପରିସ୍ଥିତିର ପୁନଃ ସମୀକ୍ଷା ପରେ ଏବେ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ଖୁବ୍ ଶୀଘ୍ର ଅସୁରକ୍ଷିତ କୋଠା ଭଙ୍ଗା ପାଇଁ ଚୂଡ଼ାନ୍ତ ନୋଟିସ୍ ମଧ୍ୟ ଜାରି ହେବ।
ଏହି ଅଭିଯାନ କେବଳ ସରକାରୀ କୋଠାରେ ସୀମିତ ରହିବ ନାହିଁ। ଘରୋଇ ଓ ବେସରକାରୀ କୋଠା ମଧ୍ୟ ଯାଞ୍ଚ ପରିସରକୁ ଆସିବ। ଯେଉଁ ବେସରକାରୀ ଘର କିମ୍ବା ବ୍ୟବସାୟିକ କୋଠା ଲୋକଙ୍କ ପାଇଁ ବିପଦଜନକ ବୋଲି ପ୍ରମାଣିତ ହେବ, ସେମାନଙ୍କ ମାଲିକଙ୍କୁ ନିୟମ ଅନୁଯାୟୀ ନୋଟିସ୍ ଦିଆଯିବ ଏବଂ ପ୍ରୟୋଜନ ହେଲେ ଭଙ୍ଗା କାର୍ଯ୍ୟାନୁଷ୍ଠାନ ନିଆଯିବ।
ବିଶେଷକରି କଟକ ଓ ପୁରୀ ପରି ପୁରୁଣା ସହରରେ ଥିବା ଜରାଜୀର୍ଣ୍ଣ ଘର ଉପରେ ପ୍ରଶାସନର ନଜର ରହିବ। ନଗର ନିଗମ ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ମିଳିତ ଭାବେ ବିପଦପୂର୍ଣ୍ଣ କୋଠାଗୁଡ଼ିକୁ ଚିହ୍ନଟ କରିବେ। ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଜୀବନ ଓ ସମ୍ପତ୍ତିର ସୁରକ୍ଷା। ଯେଉଁ କୋଠାରେ ରହିବା କିମ୍ବା ବ୍ୟବହାର କରିବା ଅସୁରକ୍ଷିତ ବୋଲି ରିପୋର୍ଟ ଆସିବ, ସେଗୁଡ଼ିକ ବିରୋଧରେ ସମୟବଦ୍ଧ ଭାବେ କାର୍ଯ୍ୟାନୁଷ୍ଠାନ ହେବ।