ନୂଆଦିଲ୍ଲୀ:ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଥିବା ଏକ ୫ ମହଲା ବଏଜ୍ ପିଜି (Paying Guest) କୋଠା ଭୁଶୁଡ଼ିବା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି। ଦୀର୍ଘ ୨୭ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ଏହି ଦୁର୍ଘଟଣାରୁ ମୋଟ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ରାଜନୈତିକ ତର୍କବିତର୍କ ଜୋର ଧରିଛି।
ସୋମବାର ବିଳମ୍ବିତ ରାତିରେ ମୁଖ୍ୟ ଅଭିଯୁକ୍ତ ହରିରାମ ଗୁପ୍ତା, ତାଙ୍କ ପତ୍ନୀ ଉର୍ମିଳା ଗୁପ୍ତା ଏବଂ ପୁଅ ମହେଶ ଗୁପ୍ତାଙ୍କୁ ଏକ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ହରିରାମ ଏବଂ ଉର୍ମିଳାଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇଥିବାବେଳେ, ପୁଅ ମହେଶ ଗୁପ୍ତାଙ୍କୁ ୨ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି। ଦୁର୍ଘଟଣା ପରେ ପୋଲିସ ଏହି ତିନିଜଣଙ୍କୁ ଗିରଫ କରିଥିଲା।
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସାଉଥ୍ କ୍ୟାମ୍ପସ ନିକଟରେ ଥିବା ଏହି କୋଠାରେ ରବିବାର ଦିନ ମରାମତି କାମ ଚାଲିଥିବା ସମୟରେ ଅପରାହ୍ନ ପ୍ରାୟ ୧:୩୦ ମିନିଟ୍ରେ ଏହା ଭୁଶୁଡ଼ି ପଡ଼ିଥିଲା, ଯାହାଫଳରେ ସେଠାରେ ରହୁଥିବା ଛାତ୍ର ଏବଂ ଶ୍ରମିକମାନେ ମାଟିଆସି ତଳେ ଚାପି ହୋଇ ରହିଯାଇଥିଲେ।
ଏହି ଘଟଣାରେ ମ୍ୟୁନିସିପାଲ କର୍ପୋରେସନ୍ (MCD) ର ୫ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବାବେଳେ, ଦିଲ୍ଲୀ ହାଇକୋର୍ଟ ସ୍ଥାନୀୟ ପ୍ରଶାସନ ଓ କର୍ତ୍ତୃପକ୍ଷଙ୍କ ଭୂମିକା ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଦିଲ୍ଲୀ ସରକାର ସମସ୍ତ ଅଧିକାରୀଙ୍କୁ ବେଆଇନ ଭାବେ ନିର୍ମିତ ପଞ୍ଚମ ମହଲାଗୁଡ଼ିକ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ଉପରାଜ୍ୟପାଳ ମଧ୍ୟ ବିଭିନ୍ନ ପିଜି ହବ୍ରେ କଡ଼ା ସଂରଚନାଗତ ଅଡିଟ୍ ଏବଂ ଯାଞ୍ଚ ଅଭିଯାନ ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଦୁର୍ଘଟଣାକୁ ନେଇ ଦିଲ୍ଲୀରେ ବିଜେପି, ଆପ୍ (AAP) ଏବଂ କଂଗ୍ରେସ ମଧ୍ୟରେ ଏକ ବଡ଼ଧରଣର ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଆଶ୍ରୟ ଦେଉଥିବା ଏହି କୋଠାଗୁଡ଼ିକର ସୁରକ୍ଷା ଏବଂ ନିୟମାବଳୀକୁ ନେଇ ବର୍ତ୍ତମାନ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।