ଗ୍ରାମାଞ୍ଚଳ LPG ସିଲିଣ୍ଡର୍ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ବଡ଼ ଖବର। ସରକାର LPG ସିଲିଣ୍ଡର୍ର ପୁନଃ ବୁକିଂ ନିୟମରେ ପରିବର୍ତ୍ତନ କରିଛନ୍ତି। ଏବେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଉଭୟ କ୍ଷେତ୍ରର ଗ୍ରାହକ ୨୫ ଦିନର ବ୍ୟବଧାନ ପରେ ନୂଆ ସିଲିଣ୍ଡର୍ ବୁକ୍ କରିପାରିବେ। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ସୋମବାର, ୭ ସେପ୍ଟେମ୍ବର ୨୦୨୬ ରେ ସରକାରୀ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ୍, ଭାରତ ପେଟ୍ରୋଲିୟମ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମକୁ ଏହି ନିୟମ ସାରା ଦେଶରେ ସମାନ ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନୂଆ ନିୟମ ଖୁବଶୀଘ୍ର ଲାଗୁ ହେବାକୁ ଯାଉଛି ।
ଫେବୃଆରୀ ୨୦୨୬ ରେ ପଶ୍ଚିମ ଏସିଆରେ ସଂଘର୍ଷ ଆରମ୍ଭ ହେବା ପରେ LPG ଯୋଗାଣ ଉପରେ ଚାପ ବଢ଼ିଯାଇଥିଲା। ଏହି ସମୟରେ ଗ୍ୟାସ୍ ସିଲିଣ୍ଡରର ଚାହିଦାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବୁକିଂ ମଧ୍ୟରେ ନିର୍ଦ୍ଦିଷ୍ଟ ବ୍ୟବଧାନ ସ୍ଥିର କରିଥିଲେ। ସେହି ସମୟରେ ସହରାଞ୍ଚଳ ଗ୍ରାହକଙ୍କ ପାଇଁ ୨୫ ଦିନ, ଯେଉଁଠାରେ ଗ୍ରାମାଞ୍ଚଳ ଗ୍ରାହକଙ୍କ ପାଇଁ ୪୫ ଦିନ ପରେ ହିଁ ପୁନର୍ବାର LPG ସିଲିଣ୍ଡର୍ ବୁକ୍ କରିବାର ନିୟମ କରାଯାଇଥିଲା। ଏହାକୁ ଏକ ଅସ୍ଥାୟୀ ବ୍ୟବସ୍ଥା ଭାବରେ ଲାଗୁ କରାଯାଇଥିଲା।
ଏବେ ୨୫ ଦିନରେ ବୁକ୍ ହେବ ପରବର୍ତ୍ତୀ ସିଲିଣ୍ଡର୍
ବର୍ତ୍ତମାନ ମନ୍ତ୍ରଣାଳୟ ଅନୁଯାୟୀ LPG ସିଲିଣ୍ଡର୍ ଯୋଗାଣ ସ୍ଥିତି ପୂର୍ବ ଅପେକ୍ଷା ସୁଧୁରିଛି ଏବଂ ବୁକିଂର ବ୍ୟାକଲଗ୍ ମଧ୍ୟ ଯଥେଷ୍ଟ କମିଛି। ଏହାକୁ ଦୃଷ୍ଟିରେ ରଖି ସରକାର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଗ୍ରାହକଙ୍କ ମଧ୍ୟରେ ଥିବା ପ୍ରାର୍ଥକ୍ୟକୁ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ସାରା ଦେଶର ସମସ୍ତ ଘରୋଇ LPG ଗ୍ରାହକଙ୍କ ପାଇଁ ସିଲିଣ୍ଡର୍ ବୁକ୍ କରିବାର ବ୍ୟବଧାନ ୨୫ ଦିନ ରହିବ। ଅର୍ଥାତ୍ ଗ୍ରାମାଞ୍ଚଳର ଗ୍ରାହକଙ୍କୁ ଏବେ ୪୫ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ।