ରାଉରକେଲା: ମଧ୍ୟରାତିରେ ଘରେ ହଠାତ୍ ନିଆଁ ଲାଗିବାରୁ ଘଟିଛି ଅଭାବନୀୟ ଅଘଟଣ। ରାଉରକେଲା ରେଳୱେ କଲୋନୀ ଅଞ୍ଚଳର ମଧୁସୂଦନ ପାଲିରେ ଘର ଭିତରେ ଜୀବନ୍ତ ଜଳି ୫୮ ବର୍ଷୀୟ ଜିତେନ୍ଦ୍ର ସାହାଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଘରେ ଶୋଇଥିବା ପୁଅ ରୋହିତ ସାହା ଅଳ୍ପକେ ରକ୍ଷା ପାଇଛନ୍ତି।
ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତି ପ୍ରାୟ ୧.୩୦ଟା ବେଳେ ଜିତେନ୍ଦ୍ର ନିଜ ଘରେ ଶୋଇଥିବା ସମୟରେ ହଠାତ୍ ନିଆଁ ଲାଗିଥିଲା। ଧୂଆଁ ଓ ନିଆଁ ଦେଖି ପଡ଼ୋଶୀମାନେ ଦୌଡ଼ି ଆସି ଅଗ୍ନିଶମ ବିଭାଗକୁ ଖବର ଦେବା ସହ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ।
କିନ୍ତୁ ଘରଟି ଭିତର ପଟୁ ବନ୍ଦ ଥିବାରୁ ଜିତେନ୍ଦ୍ରଙ୍କୁ ତୁରନ୍ତ ଉଦ୍ଧାର କରିବା ସମ୍ଭବ ହୋଇନଥିଲା। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ନିୟନ୍ତ୍ରଣ କରିବା ବେଳକୁ ସେ ଗୁରୁତର ଦଗ୍ଧ ହୋଇ ପ୍ରାଣ ହରାଇଥିଲେ।
ଘଟଣା ପରେ ପ୍ଲାଣ୍ଟସାଇଟ ପୁଲିସ ପହଞ୍ଚି ମୃତଦେହ ଜବତ କରି ରାଉରକେଲା ସରକାରୀ ହସ୍ପିଟାଲ (RGH)କୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବାକୁ ପୁଲିସ ତଦନ୍ତ ଆରମ୍ଭ କରିଛି।