କଟକ: ଦଶହରା, କାଳୀପୂଜା ଓ କାର୍ତ୍ତିକେଶ୍ୱର ପୂଜା ପୂର୍ବରୁ ଜୋର୍ଜବରଦସ୍ତି ଚାନ୍ଦା ଆଦାୟ ଓ ଦାଦାବଟି ବିରୋଧରେ କମିସନରେଟ୍ ପୁଲିସ ଆରମ୍ଭ କରିଛି ବଡ଼ ଅଭିଯାନ। ବଳପୂର୍ବକ ଚାନ୍ଦା ମାଗିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।
ପୁଲିସ ସୂଚନା ଅନୁସାରେ, ମର୍କତନଗର ଥାନା ଅଞ୍ଚଳରୁ ୨ ଜଣ ଏବଂ ଜଗତପୁର ଥାନା ଅଞ୍ଚଳରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ରାସ୍ତାରେ ଗାଡ଼ି ଅଟକାଇ ଚାନ୍ଦା ମାଗିବା ଓ ବ୍ୟବସାୟୀଙ୍କଠାରୁ ଜୋର୍ଜବରଦସ୍ତି ଟଙ୍କା ଆଦାୟ କରିବା ଭଳି ସଙ୍ଗୀନ ଅଭିଯୋଗ ରହିଛି।
ପୂଜା ଋତୁରେ ବିଭିନ୍ନ ସ୍ଥାନରେ ଚାନ୍ଦା ନାଁରେ ଦାଦାବଟି ଅଭିଯୋଗ ବଢ଼ୁଥିବାରୁ କମିସନରେଟ୍ ପୁଲିସ କଡ଼ା ନଜର ରଖିଛି। କଟକ ଡିସିପି ସ୍ପଷ୍ଟ କରିଛନ୍ତି, ବଳପୂର୍ବକ ଚାନ୍ଦା ଆଦାୟ କିମ୍ବା ଦାଦାବଟି ଘଟଣା ଦେଖିଲେ ସାଧାରଣ ଲୋକ ତୁରନ୍ତ ୧୧୨ କିମ୍ବା ପୁଲିସର ବିଶେଷ ହେଲ୍ପଲାଇନ୍ ୮୨୮୦୩୩୮୩୦୩ ନମ୍ବରରେ ସୂଚନା ଦେଇପାରିବେ।
ଆଗାମୀ ଦଶହରା, କାଳୀପୂଜା ଓ କାର୍ତ୍ତିକେଶ୍ୱର ପୂଜାକୁ ଦୃଷ୍ଟିରେ ରଖି ଏଭଳି ବେଆଇନ ଚାନ୍ଦା ଆଦାୟ ବିରୋଧରେ ଅଭିଯାନ ଆହୁରି ଜୋରଦାର ହେବ ବୋଲି କମିସନରେଟ୍ ପୁଲିସ ପକ୍ଷରୁ ଚେତାବନୀ ଦିଆଯାଇଛି।