ଅନୁଗୋଳ: ଅନୁଗୋଳ ସଦର ଥାନା ଅନ୍ତର୍ଗତ ନୂଆମୌଜା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପେଟ୍ରୋଲ ଢାଳି ଦୁଇଟି ଦୋକାନରେ ନିଆଁ ଲଗାଇ ଜଘନ୍ୟ କାଣ୍ଡ ଘଟାଇଛନ୍ତି। ଏହି ଅଗ୍ନିକାଣ୍ଡରେ ଗୋଟିଏ ରାସନ ଦୋକାନ ଓ ଗୋଟିଏ ଡାଇନାମୋ ଦୋକାନ ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା ବେଳେ ଗୋଟିଏ ଟାଟା ଇଣ୍ଡିକା କାର ଓ ଗୋଟିଏ JCB ମେସିନ ମଧ୍ୟ ପାଉଁଶ ହୋଇଯାଇଛି।
କୁମୁଦ ନାୟକ ଓ ସାଗର ପ୍ରଧାନଙ୍କ ମାଲିକାନାରେ ଥିବା ଏହି ଦୁଇଟି ଦୋକାନକୁ ଯୋଜନାବଦ୍ଧ ଭାବେ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ପ୍ରାଥମିକ ଆକଳନ କରାଯାଇଛି।
ଖବର ପାଇ ଅନୁଗୋଳ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ଆୟତ କରିଥିଲା। ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପେଟ୍ରୋଲ ଢାଳି ଅଗ୍ନିସଂଯୋଗ କରିଥିବା ଦୁର୍ବୃତ୍ତଙ୍କୁ ଚିହ୍ନଟ ପାଇଁ ପୁଲିସ ସିସିଟିଭି ଫୁଟେଜ୍ ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରୁଛି।