ଉତ୍ସବମୁଖର ସମଗ୍ର ପଶ୍ଚିମ ଓଡ଼ିଶା । ଇଷ୍ଟଦେବୀ ମାଆ ସମଲେଶ୍ବରୀଙ୍କ ପାଖରେ ଆଜି ଶୁଭଲଗ୍ନ ସକାଳ ୯ଟା ୪୦ରୁ ୯ଟା ୫୪ ଭିତରେ ନବାନ୍ନ ଲାଗି ହୋଇଛି । ଧାର୍ଯ୍ୟ ଶୁଭଲଗ୍ନ ଅନୁସାରେ ମାଆଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ସମସ୍ତେ ଏକାଠି ନୂଆଁ ଖାଉଛନ୍ତି। ଘରେ ଘରେ ଲାଗି ରହିଛି ପିଠା ପଣାର ଆସର । ପରିବାର ଲୋକେ ସମସ୍ତେ ଏକାଠି ଖାଇବାର ରହିଛି ପରମ୍ପରା । ଏକାଠି ନୂଆଁ ଖାଇବା ପରେ ହେବ ଜୁହାର ଭେଟ୍ । ସେହିପରି ବଲାଙ୍ଗିରର ଅଧିଷ୍ଠାତ୍ରୀ ଦେବୀ ମା' ପାଟଣେଶ୍ୱରୀଙ୍କ ପାଖରେ ନିର୍ଦ୍ଧାରିତ ସମୟରେ ନବାନ୍ନ ଲାଗି ହୋଇଛି।
ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ ପାଳିତ ହୁଏ ପଶ୍ଚିମ ଓଡିଶାବାସୀଙ୍କ ନୂଆଁଖାଇ ପର୍ବ । ଏହା କେବଳ ଏକ ପାରମ୍ପରିକ ପର୍ବ ନୁହେଁ ବରଂ ଭ୍ରାତୃତ୍ବ ଓ ଏକତାର ପର୍ବ । ଯିଏ ଯେଉଁଠି ଥାଉ ନା କାହିଁକି ଆଜିର ଦିନରେ ସମସ୍ତେ ଘରକୁ ଫେରି ନୂଆଁଖାଇ ପାଳନ କରନ୍ତି । ନୂଆଁଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରିଥାନ୍ତି । ତାହା ଖାଇ ସାରା ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କମାନଙ୍କୁ ଭୂମିଷ୍ଠ ପ୍ରମାଣ ସହ ଆଶୀର୍ବାଦ ନେଇଥାନ୍ତି ।