ଭୁବନେଶ୍ୱର: ଓଡ଼ିଶାର ଭରସାଯୋଗ୍ୟ ଡେୟାରି ବ୍ରାଣ୍ଡ OMFED ଏବେ କ୍ଷୀର ଓ ଦୁଗ୍ଧଜାତ ପଦାର୍ଥରେ ସୀମିତ ରହିବ ନାହିଁ। ଖୁବଶୀଘ୍ର ରାଜ୍ୟ ବଜାରରେ OMFEDର ପ୍ୟାକେଜ୍ଡ ଡ୍ରିଙ୍କିଂ ୱାଟର ଓ ନୂଆ ରେଞ୍ଜର ଆଇସକ୍ରିମ୍ ଉପଲବ୍ଧ ହେବ। ଏନେଇ ସୋମବାର ଭୁବନେଶ୍ୱରରେ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।
ମନ୍ତ୍ରୀ କହିଛନ୍ତି, OMFED ବୋର୍ଡର ଅନୁମୋଦନ ମିଳିବା ପରେ ଏହି ଦୁଇ ନୂଆ ପ୍ରଡକ୍ଟ ବଜାରକୁ ଆସିବ। ଏନେଇ ବୋର୍ଡ ସହ ଆଲୋଚନା ଚାଲିଥିବାବେଳେ ଚୂଡ଼ାନ୍ତ ମଞ୍ଜୁରି ପରେ ରାଜ୍ୟର ବିଭିନ୍ନ ଦୋକାନରେ ବିକ୍ରି ଆରମ୍ଭ ହେବ।
ବର୍ତ୍ତମାନ OMFED ଚକୋଲେଟ, ବଟରସ୍କଚ୍, ଷ୍ଟ୍ରବେରି, କେଶର ପିସ୍ତା, ଆମ୍ବ ଓ ଭାନିଲା ସ୍ୱାଦର ଆଇସକ୍ରିମ୍ କପ୍, ଷ୍ଟିକ୍, ଚକୋ ବାର୍ ଓ ଫ୍ୟାମିଲି ପ୍ୟାକ୍ରେ ବିକ୍ରି କରୁଛି। ନୂଆ ରେଞ୍ଜରେ ଆହୁରି ଅଧିକ ସ୍ୱାଦ ଓ ନୂଆ ଫର୍ମାଟ୍ ଯୋଡ଼ାଯିବ, ଯାହା ଅଧିକ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ଲକ୍ଷ୍ୟ ରଖିଛି।
ଅନ୍ୟପଟେ, ପ୍ୟାକେଜ୍ଡ ପାଣି OMFED ପାଇଁ ସମ୍ପୂର୍ଣ୍ଣ ନୂଆ ବ୍ୟବସାୟ କ୍ଷେତ୍ର। ଏହି ପ୍ରକଳ୍ପ ପାଇଁ ପୂର୍ବରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ରାଜ୍ୟର ବୋତଲ ପାଣି ବଜାରର ପ୍ରାୟ ୧୫ ପ୍ରତିଶତ ଅଂଶ ଦଖଲ କରିବାକୁ OMFED ଲକ୍ଷ୍ୟ ରଖିଛି।
ଏହି ସମ୍ପ୍ରସାରଣକୁ ସହାୟତା କରିବା ପାଇଁ କଟକ ଜିଲ୍ଲାର କେନ୍ଦୁପାଟଣାରେ NDDB ସହଯୋଗରେ ୫ ଟନ୍ ପ୍ରତିଦିନ କ୍ଷମତାସମ୍ପନ୍ନ ନୂଆ ଆଇସକ୍ରିମ୍ ପ୍ଲାଣ୍ଟ ସ୍ଥାପନ କାମ ଚାଲିଛି। ସେହିପରି ଆରିଲୋ ଡେୟାରିର ଆଇସକ୍ରିମ୍ ୟୁନିଟ୍ ଅପଗ୍ରେଡ୍ ସହ OMFED ଚକୋଲେଟ ପ୍ରକଳ୍ପ ପାଇଁ ମଧ୍ୟ DPR ପ୍ରସ୍ତୁତ ହୋଇ ସରକାରୀ ଅନୁମୋଦନ ଅପେକ୍ଷାରେ ରହିଛି।
ଦୁଗ୍ଧ ଚାଷୀଙ୍କୁ ମଧ୍ୟ ଏହାର ସିଧାସଳଖ ଲାଭ ମିଳିବ। ସରକାର କ୍ଷୀର ସଂଗ୍ରହ ମୂଲ୍ୟକୁ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଥିବାରୁ ଚାଷୀଙ୍କ ଆୟ ବଢ଼ିବା ସହ ଦୁଗ୍ଧ ଉତ୍ପାଦନରେ ସ୍ୱାବଲମ୍ବନକୁ ପ୍ରୋତ୍ସାହନ ମିଳିବ।