ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବଡ଼ ଗେଙ୍ଗୁଟି ନଦୀରେ ଗାଧୋଇବା ବେଳେ ଏକ ଦମ୍ପତ୍ତି ଭାସିଯିବାର ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ସ୍ତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସ୍ବାମୀ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି।
ବାଲିଚନ୍ଦ୍ରପୁର ଥାନା ସାଉଡ଼ିଆ ଗ୍ରାମ ପଞ୍ଚାୟତର ବାଲିକୁଦା ଗ୍ରାମ ନିକଟସ୍ଥ ବଡ଼ ଗେଙ୍ଗୁଟି ନଦୀ ଘାଟ। ନଦୀରେ ଭାସିଯାଇଥିବା ଦମ୍ପତ୍ତି ହେଉଛନ୍ତି ସାଉଡ଼ିଆ ଅଞ୍ଚଳର ସୁଧାକର ଓଝା ଏବଂ ତାଙ୍କ ସ୍ତ୍ରୀ ସୁଲୋଚନା ଓଝା। ସୋମବାର ଭୋର ପ୍ରାୟ ୩ଟା ସମୟରେ ଉଭୟ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ନଦୀ ସ୍ରୋତରେ ଦମ୍ପତ୍ତି ଭାସିଯିବା ପରେ, ସ୍ତ୍ରୀ ସୁଲୋଚନା ଓଝାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ନୀଳପଡ଼ା ଅଞ୍ଚଳର ବିରୂପା ନଦୀରୁ ଜୀବିତ ଉଦ୍ଧାର କରାଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଇନ୍ଦିପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସ୍ବାମୀ ସୁଧାକର ଓଝା ଏବେ ମଧ୍ୟ ନିଖୋଜ ଅଛନ୍ତି। ନଦୀକୂଳରୁ ତାଙ୍କର ବାଲଟି , ଚପଲ ଓ ଲୁଗାପଟା ଜବତ କରାଯାଇଛି। ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବାହିନୀ ପକ୍ଷରୁ ନଦୀରେ ଖୋଜାଖୋଜି ଜାରି ରହିଛି ।