କଟକ : ରବିବାର ବାଙ୍କୀ ଅଞ୍ଚଳର ମହାନଦୀରେ ଗାଧୋଇବା ସମୟରେ ଭାସି ଗଲେ ତିନି ଜଣ ସାଙ୍ଗ। ସେମାନଙ୍କ ମଧ୍ଯରୁ ଦୁଇ ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି।
ସୂଚନା ଅନୁଯାୟୀ ୩ ଜଣ ସାଙ୍ଗ ପ୍ରଥମେ ବାଙ୍କୀର ପ୍ରସିଦ୍ଧ ଅଂଶୁପା ହ୍ରଦ ବୁଲିବାକୁ ଆସିଥିଲେ। ଏହାପରେ ଅପରାହ୍ନରେ ସେମାନେ ନିକଟସ୍ଥ ମହାନଦୀର ସୁବର୍ଣ୍ଣପୁର ଘାଟକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ଭାସିଯାଇଥିବା ଏହି ତିନି ସାଙ୍ଗଙ୍କ ଘର କଟକ ଚାଉଳିଆଗଞ୍ଜର ତଳସାହି ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ରକ୍ଷା କରାଯାଇଥିବା ବେଳେ ଜଣେ ଯୁବକ ଏବେ ମଧ୍ୟ ନିଖୋଜ ଅଛନ୍ତି, ଯାହାଙ୍କ ନାଁ ଅମିତ ସାହୁ ବୋଲି ଜଣାପଡ଼ିଛି। ଖବର ପାଇ ଡମପଡ଼ା ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନଦୀରେ ତାଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି।