ବାଲେଶ୍ୱର ଭୋଗରାଇରୁ ୫ ଓରାଂଉଟାନ୍ ଉଦ୍ଧାର ଘଟଣାରେ STF ର କଡ଼ା କାର୍ଯ୍ୟାନୁଷ୍ଠାନ। ଦୀଘାର ହୋଟେଲ୍ ଦି ଗ୍ରାଣ୍ଡ ହେରିଟେଜ୍ରେ ତାଲା ପକାଇବା ସହ ୨ କର୍ମଚାରୀଙ୍କୁ ଉଠାଇନେଲା STF। ଫରାର ଅଛନ୍ତି ହୋଟେଲ ମାଲିକ ଓ ପୁଅ।
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ବିରଳ ଓରାଂଉଟାନ୍ ଉଦ୍ଧାର ଘଟଣା ଉପରୁ ଉଠୁଛି ପରଦା। ଏହି ସଂଘୀନ ବନ୍ୟଜନ୍ତୁ ଚୋରା ଚାଲାଣ ଘଟଣାରେ ପଶ୍ଚିମବଙ୍ଗର ଅନ୍ତର୍ଜାତୀୟ ତସ୍କର ଗ୍ୟାଙ୍ଗଙ୍କ ସଂପୃକ୍ତି ଥିବା ନେଇ ବଳିଷ୍ଠ ପ୍ରମାଣ ପାଇଛି ସ୍ପେଶାଲ ଟାସ୍କ ଫୋର୍ସ (STF)। ଘଟଣାର ମୂଳ ପାଖରେ ପହଞ୍ଚିବା ପାଇଁ STF ନିଉ ଦୀଘାର ଏକ ହୋଟେଲ୍ରେ ଚଢ଼ଉ କରି ତାଲା ପକାଇବା ସହ ୨ ଜଣ କର୍ମଚାରୀଙ୍କୁ ଉଠାଇ ଆଣି ପଚରାଉଚରା ଚଳାଇଛି।
୧୫୦ ସିସିଟିଭି, ସନ୍ଦିଗ୍ଧ ଥାର୍ ଓ ମାସ୍କ
ରଣକୋଠା ଜଙ୍ଗଲକୁ ଏହି ବିରଳ ଜୀବମାନେ କେମିତି ଆସିଲେ, ସେ ନେଇ ଗତ ୫ ଦିନ ହେଲା STF ଖୋଳତାଡ଼ ଜାରି ରଖିଛି।
• ସିସିଟିଭି ଯାଞ୍ଚ: ଦୀଘାରୁ ରଣକୋଠା ପର୍ଯ୍ୟନ୍ତ ପ୍ରାୟ ୧୫୦ରୁ ଅଧିକ ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରାଯାଇଛି।
• ଥାର୍ ଓ କାର୍ ସନ୍ଦେହ: ଘଟଣାର ପୂର୍ବ ରାତିରେ ଏକ କଳା ରଙ୍ଗର ଥାର୍ (Thar) ଗାଡ଼ି ସଂରକ୍ଷିତ ଜଙ୍ଗଲ ଅଞ୍ଚଳକୁ ଆସି ଫେରିଥିବାର ସିସିଟିଭି ପ୍ରମାଣ ମିଳିଥିଲା। ପରେ ନିଉ ଦୀଘାସ୍ଥିତ ‘ହୋଟେଲ୍ ଦି ଗ୍ରାଣ୍ଡ ହେରିଟେଜ୍’ ଆଗରେ ସେହି କଳା ଥାର୍ ସହ ଅନ୍ୟ ଏକ ଧଳା କାର୍ ଛିଡ଼ା ହୋଇଥିବାର ନୂଆ ଫୁଟେଜ୍ ସାମ୍ନାକୁ ଆସିଛି।
• ଜବତ ସାମଗ୍ରୀ: ଘଟଣାସ୍ଥଳ ନିକଟସ୍ଥ ବଡ଼ପାହି ଗ୍ରାମରୁ ଏକ ମାସ୍କ ଜବତ ହୋଇଛି, ଯାହାକୁ ଆଧାର କରି ତଦନ୍ତ ଆଗକୁ ବଢ଼ୁଛି।
ହୋଟେଲ୍ରେ ତାଲା, ମାଲିକ ଓ ପୁଅ ଗାଏବ
STF ନିଉ ଦୀଘାରେ ମାତ୍ର ୩ ମାସ ତଳେ ଆରମ୍ଭ ହୋଇଥିବା ‘ହୋଟେଲ୍ ଦି ଗ୍ରାଣ୍ଡ ହେରିଟେଜ୍’ରେ ଚଢ଼ଉ କରି ତାଲା ପକାଇଦେଇଛି। ଘଟଣା ପରଠାରୁ ହୋଟେଲ ମାଲିକ ଓ ତାଙ୍କ ପୁଅ ଫରାର ଅଛନ୍ତି। STF ଟିମ୍ ହାଓଡ଼ାସ୍ଥିତ ସେମାନଙ୍କ ବାସଭବନରେ ଚଢ଼ଉ କରିଥିଲେ ମଧ୍ୟ ସେମାନଙ୍କର କୌଣସି ପତ୍ତା ମିଳିନି।
ଇତିମଧ୍ୟରେ ହୋଟେଲର ୨ ଜଣ କର୍ମଚାରୀ ଏବଂ ପୂର୍ବରୁ ଉଠାଯାଇଥିବା ୩ ସହଯୋଗୀଙ୍କୁ ମିଶାଇ ମୋଟ ୫ ଜଣଙ୍କୁ STF ଅଟକ ରଖି ପଚରାଉଚରା କରୁଛି।