ନୂଆଦିଲ୍ଲୀ / ନର୍ମଦାପୁରମ୍: ନୂଆଦିଲ୍ଲୀରେ ଆୟୋଜିତ ୧୮ତମ BRICS ସମ୍ମିଳନୀ ଅବସରରେ ମଧ୍ୟପ୍ରଦେଶ ନର୍ମଦାପୁରମ୍ ଜିଲ୍ଲା ସୁପରଲି ଗ୍ରାମର କୃଷକ ତଥା ଶିଳ୍ପୀ ଯୋଗେନ୍ଦ୍ର ପାଲ୍ ସିଂହ ସୋଲଙ୍କିଙ୍କ ଅନନ୍ୟ କଳାକୃତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରଙ୍ଗ ଓ ବ୍ରଶ୍ ପରିବର୍ତ୍ତେ ବିଭିନ୍ନ ପ୍ରକାର ଶସ୍ୟ ଓ କ୍ଷୁଦ୍ର ଶସ୍ୟ (ମିଲେଟ୍ସ)ର ବ୍ୟବହାର କରି ସେ BRICS ସମ୍ମିଳନୀରେ ଯୋଗଦେଉଥିବା ବିଦେଶୀ ରାଷ୍ଟ୍ରାଧ୍ୟକ୍ଷ ଏବଂ ପ୍ରମୁଖ ଅତିଥିମାନଙ୍କର ଆକର୍ଷଣୀୟ ପ୍ରତିକୃତି (Portrait) ପ୍ରସ୍ତୁତ କରିଛନ୍ତି। ତାଙ୍କର ଏହି କଳାକୃତିରେ ଭାରତର ସମୃଦ୍ଧ କୃଷି ସଂସ୍କୃତି ଓ ପରମ୍ପରାର ଝଲକ ସ୍ପଷ୍ଟ ବାରି ହୋଇପଡ଼ୁଛି।
କାହା କାହାର ପ୍ରତିକୃତି ତିଆରି ହୋଇଛି?
କୃଷକ ଯୋଗେନ୍ଦ୍ର ଅନାଜ ଦାନାରେ ବିଶ୍ୱର ପ୍ରମୁଖ ନେତାମାନଙ୍କ ଫୋଟୋ ଆଙ୍କିଛନ୍ତି, ଯେଉଁଥିରେ ସାମିଲ ଅଛନ୍ତି:
• ଶୀ ଜିନପିଙ୍ଗ (ଚୀନ୍ର ରାଷ୍ଟ୍ରପତି)
• ଭ୍ଲାଦିମିର ପୁଟିନ୍ (ରୁଷର ରାଷ୍ଟ୍ରପତି)
• ମସୁଦ ପେଜେଶ୍କିଆନ (ଇରାନର ରାଷ୍ଟ୍ରପତି)
• ପ୍ରବୋବୋ ସୁବିଆନ୍ତୋ (ଇଣ୍ଡୋନେସିଆର ରାଷ୍ଟ୍ରପତି)
• ଅବଦେଲ ଫତାହ ଅଲ-ସିସି (ମିଶରର ରାଷ୍ଟ୍ରପତି)
• ମହମ୍ମଦ ବିନ୍ ସଲମାନ (ସାଉଦି ଆରବର ଯୁବରାଜ)
• ଶେଖ ମହମ୍ମଦ ବିନ୍ ଜାୟେଦ ଅଲ ନାହୟାନ (ୟୁଏଇର ରାଷ୍ଟ୍ରପତି)
କେଉଁ ସବୁ ଶସ୍ୟର ହୋଇଛି ବ୍ୟବହାର?
ଏହି ଚିତ୍ରଗୁଡ଼ିକୁ ସୂକ୍ଷ୍ମ ଭାବେ ସଜାଇବା ପାଇଁ ମାଣ୍ଡିଆ, ବାଜରା, ରାଜଗିରା, କୋଦୋ, କୁଟକୀ, ଧାନ, ଗହମ, ରାଶି ଏବଂ ପୋସ୍ତ ଭଳି ଦେଶୀ ଶସ୍ୟର ବ୍ୟବହାର କରାଯାଇଛି। ସୂକ୍ଷ୍ମ ଶସ୍ୟ ଦାନାଗୁଡ଼ିକୁ ଗୋଟି ଗୋଟି କରି ସଜାଇ ଚେହେରାର ସଠିକ୍ ରୂପରେଖ ଦିଆଯାଇଛି।
"ଅନ୍ନ କେବଳ ଖାଦ୍ୟ ନୁହେଁ, ଆମ ସଂସ୍କୃତି"
ଯୋଗେନ୍ଦ୍ର ଏହାପୂର୍ବରୁ ମଧ୍ୟ ଅନେକ ନେତା, କଳାକାର ଓ ଦେବଦେବୀଙ୍କ ପ୍ରତିକୃତି ଶସ୍ୟ ଜରିଆରେ ନିର୍ମାଣ କରିସାରିଛନ୍ତି। ତାଙ୍କ କହିବା କଥା:
"ଭାରତ ଏକ କୃଷିପ୍ରଧାନ ଦେଶ। ଏଠାରେ ଅନ୍ନ କେବଳ ପେଟ ପୂରାଇବାର ସାଧନ ନୁହେଁ, ବରଂ ଆମ ସଂସ୍କୃତି, ପରମ୍ପରା ଓ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। BRICS ସମ୍ମିଳନୀରେ ଯୋଗଦେଉଥିବା ବିଦେଶୀ ମହାନୁଭବମାନଙ୍କୁ ସ୍ୱାଗତ କରିବା ସହ ଭାରତୀୟ କୃଷି ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ମୁଁ ଏହି ପ୍ରୟାସ କରିଛି।"
ଏହି ଶସ୍ୟ-କଳାକୃତିଗୁଡ଼ିକର ସ୍ୱଚ୍ଛ ଫୋଟୋ ଓ ଡିଜିଟାଲ ପ୍ରତିରୂପ ସମ୍ପୃକ୍ତ ଦେଶଗୁଡ଼ିକର ଦୂତାବାସକୁ ଇ-ମେଲ୍ ମାଧ୍ୟମରେ ପଠାଯିବାର ବ୍ୟବସ୍ଥା କରାଯାଇଛି।