ମୁମ୍ବାଇ: ନିଜ ଦ୍ୱାରା ନିର୍ମିତ ଫ୍ଲାଇଓଭର ଏବଂ ମୁମ୍ବାଇର ଭୟଙ୍କର ଟ୍ରାଫିକ୍ ଜାମ୍ରେ ଫସିଗଲେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ୍ ଗଡ଼କରୀ। ମୁମ୍ବାଇରେ ଆୟୋଜିତ ୨୨ତମ 'ଇଣ୍ଡୋ-ଆମେରିକାନ୍ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡ ୨୦୨୬' ସମାରୋହରେ ଯୋଗଦେବାକୁ ଯାଉଥିବା ବେଳେ ସେ ଦୀର୍ଘ ୧ ଘଣ୍ଟା କାଳ ଟ୍ରାଫିକ୍ରେ ଅଟକି ରହିଥିଲେ। ଫଳରେ ସେ କାର୍ଯ୍ୟକ୍ରମରେ ବିଳମ୍ବରେ ପହଞ୍ଚିଥିଲେ।
ମଞ୍ଚରେ ଛିଡ଼ା ହୋଇ ମାଗିଲେ କ୍ଷମା
ବିଳମ୍ବରେ ପହଞ୍ଚିବା ପାଇଁ ଗଡ଼କରୀ ଅତି ନମ୍ରତାର ସହ ମଞ୍ଚରୁ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ। ଏଥିସହ ପ୍ରଶାସନିକ ବ୍ୟବସ୍ଥା ଓ ନିଜକୁ ଏହି ସ୍ଥିତି ପାଇଁ ଦାୟୀ କରିବା ସହ ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିବା ପ୍ରକାଶ କରିଥିଲେ। ସେ କହିଥିଲେ ଯେ ପୂର୍ବରୁ ନିର୍ମିତ ପୁରୁଣା ଫ୍ଲାଏ ଓଭରଗୁଡ଼ିକ ଏବେ ବୃଦ୍ଧି ପାଉଥିବା ଗାଡ଼ି ସଂଖ୍ୟା ଆଗରେ ବାଧା ସାଜିଛନ୍ତି, ତେଣୁ ନୂଆ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରିବାର ସମୟ ଆସିଯାଇଛି।
ମଲେସିଆନ୍ ଟେକ୍ନୋଲୋଜି ଓ ମଲ୍ଟି-ଲେଭଲ୍ ଫ୍ଲାଇଓଭର
ପୁଣେ ସହର ପାଇଁ ୫୦,୦୦୦ କୋଟି ଟଙ୍କାର ନୂଆ ଭିତ୍ତିଭୂମି ପ୍ରକଳ୍ପ ବିଷୟରେ ସୂଚନା ଦେଇ ସେ କହିଥିଲେ ଯେ ମାଲେସିଆରୁ ମିଳିଥିବା ଆଧୁନିକ ଟେକ୍ନୋଲୋଜି ପ୍ରୟୋଗ କରାଯିବ। ଏହି ନୂଆ ପ୍ରଯୁକ୍ତିବିଦ୍ୟା ବଳରେ ଗୋଟିଏ ପିଲର (ସିଙ୍ଗଲ୍ ଟାୱାର) ଉପରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ତରରେ ଫ୍ଲାଇଓଭର ଏବଂ ଚତୁର୍ଥ ସ୍ତରରେ ମେଟ୍ରୋ ଟ୍ରେନ୍ ଚାଲିପାରିବ।
ଭାରତର ଦକ୍ଷତା ଓ ଆମେରିକାର ସମ୍ବଳ
ସମାରୋହକୁ ସମ୍ବୋଧିତ କରି ଗଡ଼କରୀ କହିଥିଲେ, କିଛି ଲୋକ ସମସ୍ୟାକୁ ସୁଯୋଗରେ ବଦଳାନ୍ତି, ଆଉ କିଛି ଲୋକ ସୁଯୋଗକୁ ସମସ୍ୟାରେ ପରିଣତ କରନ୍ତି। କିନ୍ତୁ ଆମକୁ ଆହ୍ୱାନକୁ ସ୍ୱୀକାର କରିବାକୁ ହେବ। ଭାରତ ପାଖରେ ଯଥେଷ୍ଟ କ୍ଷମତା ଅଛି ଏବଂ ଆମେରିକା ପାଖରେ ଆବଶ୍ୟକୀୟ ସମ୍ବଳ ଓ ପ୍ରଯୁକ୍ତିବିଦ୍ୟା ରହିଛି। ଏହି ଦୁଇ ଶକ୍ତିର ମିଶ୍ରଣ ବିଶ୍ୱ ପାଇଁ ଏକ ସଫଳ ସ୍ଥିତି ସୃଷ୍ଟି କରିପାରିବ।