ନୂଆଦିଲ୍ଲୀ: ଆଗାମୀ ୨୦ ବର୍ଷକୁ ଦୃଷ୍ଟିରେ ରଖି ମହତ୍ୱାକାଂକ୍ଷୀ ଯୋଜନାଗୁଡ଼ିକ ଉପରେ କାମ କରିବାକୁ ପଡ଼ିବ । ଏହାର ଶୁଭାରମ୍ଭ ଆମର କାମ କରିବାର ଶୈଳୀରୁ ଆରମ୍ଭ ହେବ । ପ୍ରତିବର୍ଷ ବ୍ରିକ୍ସର ଅଧ୍ୟକ୍ଷ ବଦଳିବେ କିନ୍ତୁ ଏହା ଦ୍ୱାର ସଂସ୍ଥାଗତ ଗତି ବନ୍ଦ ନ ହେବା ଉଚିତ ବୋଲି ବ୍ରିକ୍ସ ମଞ୍ଚରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଭାରତ ମଣ୍ଡପମରେ ଦୁଇ ଦିନିଆ ବ୍ରିକ୍ସ ସମ୍ମିଳୀନରେ ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ବ୍ରିକ୍ସକୁ ସମ୍ବୋଧିତ କରିଛନ୍ତି । ମୋଦୀ ବିଶ୍ୱ ସଂକଟ ଓ ବୈଶ୍ୱିକ ସଂସ୍କାର ଉପରେ ଗୁରୁତ୍ୱାରୋପ କରିଛନ୍ତି । ମୋଦୀ କହିଛନ୍ତି ଯେ ବ୍ରିକ୍ସ ସଂଗଠନକୁ ମଜବୁତ କରିବା ସହିତ ବିଶ୍ୱ ସଂସ୍କାର ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ପଡିବ। ପ୍ରତି ଦେଶର ନିଷ୍ପତ୍ତି, କାର୍ଯ୍ୟ, ଭୂମିକାକୁ ଗୁରୁତ୍ୱ ଦେବାକୁ ମୋଦୀ ଜୋର୍ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ବିଶ୍ୱ ଶାସନର (ଗ୍ଲୋବାଲ ଗଭର୍ଣ୍ଣାନ୍ସଃ)କୁ ପିରାମିଡ୍ ସହିତ ତୁଳନା କରିଛନ୍ତି । ବିଶ୍ୱ ଶାସନର ଗଠନ ଏକ ପିରାମିଡ୍ ସଦୃଶ ଅଟେ ଯାହା ଶକ୍ତି ଏବଂ ନିଷ୍ପତ୍ତି ଗ୍ରହଣ କ୍ଷମତା ଶୀର୍ଷରେ କେନ୍ଦ୍ରିତ ଅଟେ । ଏହା ପରେ ମୂଳରେ ଥିବା ଦେଶଗୁଡ଼ିକ ଏହି ନିଷ୍ପତ୍ତିଗୁଡ଼ିକ ଦ୍ୱାରା ପ୍ରଭାବିତ । ସେମାନେ ସୀମିତ ଭୂମିକା ଗ୍ରହଣ କରନ୍ତି । ଗ୍ଲୋବାଲ୍ ସାଉଥ୍ ଆଜିର ବିଶ୍ୱ ସଙ୍କଟର ଆଗ ଧାଡିରେ ଠିଆ ହୋଇଛି କିନ୍ତୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ପଛରେ ରହିଛି । ଏହି ପିରାମିଡ୍ କୁ ସୁବିଧାର ମଞ୍ଚରୁ ସହଭାଗୀତାର ମଞ୍ଚରେ ପରିଣତ କରିବାକୁ ପଡିବ । ଯେଉଁଠାରେ ପ୍ରତ୍ୟେକ ଦେଶର ସ୍ୱର ଅଛି ଏବଂ ପ୍ରତ୍ୟେକ ସଦସ୍ୟଙ୍କର ଏକ ଅଂଶ ରହିଛି ।
ଆର୍ଥିକ ପ୍ରତିଷ୍ଠାନ ମଧ୍ୟରେ ମତଦାନ ଶକ୍ତି, ନେତୃତ୍ୱ ଭୂମିକା ଏବଂ ନୀତିଗତ ପ୍ରାଥମିକତା ଆଜିର ଅର୍ଥନୈତିକ ବାସ୍ତବତା ସହିତ ସମନ୍ୱିତ ହେବା ଉଚିତ। ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିକୁ ଚାଳିତ କରୁଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟ ବିଶ୍ୱ ଅର୍ଥନୈତିକ ଶାସନ ଗଠନରେ ଉପଯୁକ୍ତ ଭୂମିକା ଗ୍ରହଣ କରିବା ଉଚିତ । ବିଶ୍ୱ ପ୍ରତିଷ୍ଠାନଗୁଡ଼ିକ ଉପରେ ଜନସାଧାରଣଙ୍କ ବିଶ୍ୱାସ କେବଳ ସେତେବେଳେ ସ୍ଥାପିତ ହେବ ଯଦି ସେମାନେ ପ୍ରଭାବଶାଳୀ ଭାବରେ ସମସ୍ୟାଗୁଡ଼ିକର ସମାଧାନ କରିପାରିବେ । ସାମୂହିକ ପ୍ରତିକ୍ରିୟାର ଗତି, ପରିମାଣ ଏବଂ ପ୍ରଭାବ ପ୍ରତି ଧ୍ୟାନ ଦେବାକୁ ପଡିବ ବୋଲି ମୋଦୀ କହିଛନ୍ତି ।
ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ନାବିକମାନଙ୍କ ପାଇଁ ଏକ ଜରୁରୀକାଳୀନ ସହାୟତା ନେଟୱାର୍କ ସୃଷ୍ଟି କରିବା, ସଙ୍କଟ ସତର୍କତା, ଚିକିତ୍ସା ସହାୟତା, ବିଜ୍ଞପ୍ତି ଏବଂ ସ୍ଥାନାନ୍ତର ସହାୟତାକୁ ସହଜ କରିବା ପାଇଁ ସାମୁଦ୍ରିକ କର୍ତ୍ତୃପକ୍ଷ ଏବଂ କୂଟନୈତିକ ମିଶନଗୁଡ଼ିକୁ ଏକୀକୃତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ।