ନୂଆଦିଲ୍ଲୀ: କୌଣସି ଦେଶ ଉପରେ ଏକ ତରଫା ଯୁଦ୍ଧ ଆକ୍ରମଣକୁ ନିନ୍ଦା କରାଯିବ । ସମସ୍ତ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଏକତରଫା ଯୁଦ୍ଧ ବିରୋଧରେ ଏକଜୁଟ ହୋଇଛନ୍ତି । ଆଜିଠାରୁ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ବ୍ରିକ୍ସ ସମ୍ମିଳନୀର ପ୍ରଥମ ଦିବସରେ ଏହି ସାମୂହିକ ସହମତି ପ୍ରକାଶ ପାଇଛି । ଏହାକୁ ଭାରତର ବଡ଼ କୂଟନୈତିକ ବିଜୟ ଭାବେ ବିବେଚନା କରାଯାଉଛି ।
ଆଜି ପ୍ରଥମ ଦିନରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ରାଷ୍ଟ୍ର ନେତା ଏବଂ ପ୍ରତିନିଧିମାନେ ଯୋଗ ଦେଇଛନ୍ତି । ପ୍ରଥମରେ ଦିନରେ କୌଣସି ବ୍ରିକ୍ସ ସଦସ୍ୟ ଦେଶ ଉପରେ ଏକ ତରଫା ଯୁଦ୍ଧକୁ ନିନ୍ଦା କରିବାକୁ ସହମତି ପ୍ରକାଶ ପାଇଛି । ଏ ନେଇ ଖୁବଶୀଘ୍ର ମିଳିତ ଘୋଷଣା ପତ୍ର ଜାରି କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ରଏଟର୍ସର ରିପୋର୍ଟ ଅନୁସାରେ, ବ୍ରିକ୍ସ ଘୋଷଣାପତ୍ରରେ କୌଣସି ନିର୍ଦ୍ଦିଷ୍ଟ ଦେଶର ନାମ ନ ନେଇ ସମସ୍ତ ପ୍ରକାରର ଆକ୍ରମଣକୁ ନିନ୍ଦା କରାଯିବ । ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷକୁ ଦୃଷ୍ଟିରେ ରଖି ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଆଲୋଚନା ଏବଂ କୂଟନୀତି ହେଉଛି ସଂଘର୍ଷର ସମାଧାନ ପାଇଁ ଆଗକୁ ବଢ଼ିବାର ଉପାୟ ମିଳିତ ଘୋଷଣା ପତ୍ରରେ ଗୁରୁତ୍ୱ ଦିଆଯାଇପାରେ ।
ଏକ ମିଳିତ ଘୋଷଣାନାମା ଉପରେ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ସହମତି ହାସଲ କରିବା ଭାରତୀୟ କୂଟନୀତି ଏବଂ BRICS (ବ୍ରିକ୍ସ)ର 'ଶେର୍ପା' ମାନଙ୍କ ପାଇଁ ଏକ ବଡ଼ ବିଜୟ ଅଟେ । ପଶ୍ଚିମ ଏସିଆର ସ୍ଥିତି ସମ୍ବନ୍ଧୀୟ ଭାଷା ବା ଶବ୍ଦାବଳୀକୁ ନେଇ ମତଭେଦ ଲାଗି ରହିଥିବାରୁ, ଏହି ସମ୍ମିଳନୀ ପୂର୍ବରୁ ମିଳିତ ଘୋଷଣାନାମା ଉପରେ ସହମତି ସ୍ଥାପନ କରିବା ପାଇଁ 'ଶେର୍ପା'ମାନେ ଦିନରାତି କଠିନ ପରିଶ୍ରମ କରୁଥିଲେ।
ସମ୍ପ୍ରତି ପଶ୍ଚିମ ଏସିଆରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଲାଗିଥିବା ଯୁଦ୍ଧ ମଧ୍ୟରେ ବ୍ରିକ୍ସରେ ଏଭଳି ମତ ପ୍ରକାଶ ପାଇବା ଭାରତର ବଡ଼ କୂଟନୈତିକ ସଫଳତା ଅଟେ । ପୂର୍ବରୁ ମଧ୍ୟ ଜି20 ସମ୍ମିଳନୀରେ ଭାରତ ଏଭଳି କୂଟନୈତିକ ପରିସ୍ଥିତିର ସାମ୍ନା କରିଥିଲା । ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଚାଲିଥିବାବେଳେ ଭାରତ ଦୀର୍ଘ ଆଲୋଚନା ମାଧ୍ୟମରେ ସହମତି ପ୍ରକାଶ ପାଇଥିଲା ।