ନୂଆଦିଲ୍ଲୀ: ଦିଲ୍ଲୀ ବ୍ରିକ୍ସ ମିଳିତ ଘୋଷଣାପତ୍ର ଜାରି ହୋଇଛି । ୨୧ଟି ସଦସ୍ୟ ରାଷ୍ଟ୍ର ସହମତିରେ ଦିଲ୍ଲୀ ବ୍ରିକ୍ସ ଘୋଷଣାପତ୍ରକୁ ମଞ୍ଜୁରି ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଦେଶରେ ସହମତି ଲୋଡ଼ିଥିବାବେଳେ କୌଣସି ଦେଶ ଆପତ୍ତି ନ ଜଣାଇ ପ୍ରସ୍ତାବ ଉପରେ ସହମତି ପ୍ରକାଶ କରିଛନ୍ତି । ଏକତରଫା ଯୁଦ୍ଧ, ଏକତରଫା ଟାରିଫ, ଆଣବିକ ଯୁଦ୍ଧ ଧମକ, ବାଣିଜ୍ୟିକ କାରବାର ଆଦି ପ୍ରମୁଖ ପ୍ରସଙ୍ଗ ଉପରେ ଆସିଥିବା ପ୍ରସ୍ତାବଗୁଡ଼ିକ ସର୍ବସମ୍ମତିକ୍ରମେ ପାରିତ ହୋଇଯାଇଛି ।
ଏକତରଫା ଯୁଦ୍ଧକୁ ନିନ୍ଦା
ଘୋଷଣାପତ୍ରରେ ବ୍ରିକ୍ସ ଆଗାମୀ ଲକ୍ଷ୍ୟ, କାର୍ଯ୍ୟପନ୍ଥା, ଶାନ୍ତି ସ୍ଥାପନା, ବିଶ୍ୱ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରାଯାଇଛି । ଦେଶର ସହମତିରେ ଏକପାଖିଆ ଯୁଦ୍ଧ ଘୋଷଣାକୁ ବ୍ରିକ୍ସ ରାଷ୍ଟ୍ର ସମୂହ ନିନ୍ଦା କରିଛନ୍ତି । ଯୁଦ୍ଧ ରୋକିବାକୁ ଉଦ୍ୟମ କରିବା ଉପରେ ଗୁରୁତ୍ୱ ଦିଆଇଛି । ଦେଶ ଦେଶ ମଧ୍ୟରେ ବିବାଦର ସମାଧାନ କରିବା କ୍ଷେତ୍ରରେ ମୂଳ ସମସ୍ୟା ପର୍ଯ୍ୟନ୍ତ ପହଁଚିବାକୁ ମତ ପ୍ରକାଶ ପାଇଛି । ଆପୋସ ବୁଝାମଣା, କୂଟନୈତିକ ଆଲୋଚନା ଏବଂ ପ୍ରତିବଦ୍ଧତା ମାଧ୍ୟମରେ ଯୁଦ୍ଧ ରୋକିବାକୁ ଚେଷ୍ଟା କରାଯିବ । ସେହିପରି ବିଭିନ୍ନ ପ୍ରସଙ୍ଗରେ ସମସ୍ତ ଦେଶର ନିଷ୍ପତ୍ତି, ଭୂମିକା ଓ ବିଚାରକୁ ସମ୍ମାନ ଏବଂ ଗୁରୁତ୍ୱ ଦିଆଯିବ ।
ଏକତରଫା ଟାରିଫକୁ ନେଇ ଚିନ୍ତା
ସେହିପରି ଘୋଷଣାପତ୍ର ଅନ୍ୟ ଏକ ପ୍ରମୁଖ ପ୍ରସଙ୍ଗ ମଧ୍ୟରେ ରହିଛି ଟାରିଫ୍ । ଘୋଷଣାପତ୍ରରେ ଏକତରଫା ଟାରିଫ୍ ଏବଂ ଅଣ ଟାରିଫ୍ ଉପରେ ଚିନ୍ତା ପ୍ରକଟ କରାଯାଇଛି । ଏଭଳି ନିଷ୍ପତ୍ତି ଦ୍ୱାରା ବାଣିଜ୍ୟରେ ବାଧା ସୃଷ୍ଟି ହେବା ସହିତ ବିଶ୍ୱ ବାଣିଜ୍ୟ ସଂଗଠନ ପ୍ରତି ଅପମାନ ବୋଲି ବ୍ରିକ୍ସ କହିଛି ।
ଆଣବିକ ଯୁଦ୍ଧ ଧମକ ଉପରେ ଗୁରୁତ୍ୱାରୋପ
ସେହିପରି ଆଣବିକ ଧମକ ଓ ଯୁଦ୍ଧର ଫଳାଫଳ ଉପରେ ଗମ୍ଭୀର ଚିନ୍ତା ପ୍ରକଟ କରିଛି ବ୍ରିକ୍ସ । ସୀମା-ପାର୍ (cross-border) ଦେୟ ବ୍ୟବସ୍ଥା ଉପରେ କାର୍ଯ୍ୟ ଜାରି ରହିବ । ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସୀମା-ପାର୍ ଦେୟ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ଆଲୋଚନା ଜାରି ରଖିବା ଏବଂ ବ୍ୟବହାରିକ ସମାଧାନ ଖୋଜିବା ନେଇ ଏକ ସହମତି ସ୍ଥାପିତ ହୋଇଛି। ବ୍ରିକ୍ସ ଆନ୍ତର୍ଜାତୀୟ ଆଇନର ବିରୋଧୀ ବୋଲି ବିବେଚିତ ହେଉଥିବା ଏକପାଖିଆ ଅର୍ଥନୈତିକ ଏବଂ ଅନ୍ୟାନ୍ୟ ବାଧ୍ୟତାମୂଳକ ପଦକ୍ଷେପକୁ ନିନ୍ଦା କରିଛି।
ବ୍ରିକ୍ସ ଅନ୍ତର୍ଜାତୀୟ ଆଇନର ବିରୋଧୀ ଭାବେ ବିବେଚିତ ହେଉଥିବା ଏକପାଖିଆ ଅର୍ଥନୈତିକ ଏବଂ ଅନ୍ୟାନ୍ୟ ବାଧ୍ୟତାମୂଳକ ପଦକ୍ଷେପକୁ ନିନ୍ଦା କରିଛି । ଖାଲି ସେତିକି ନୁହେଁ ବ୍ରିକ୍ସ ଘୋଷଣାନାମା ସୀମାପାର୍ ଆତଙ୍କବାଦ, ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଏବଂ ଆତଙ୍କବାଦୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ ସମେତ ସମସ୍ତ ପ୍ରକାରର ଆତଙ୍କବାଦ କାର୍ଯ୍ୟକଳାପକୁ ଦୃଢ଼ ଭାବରେ ନିନ୍ଦା କରିଛି । ଏହି ସମ୍ମିଳନୀ ୨୨ ଅପ୍ରେଲ ୨୦୨୫ରେ ଜମ୍ମୁ ଓ କାଶ୍ମୀରରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛି।