ଭୁବନେଶ୍ୱର: କୋରାପୁଟର ପାହାଡ଼ିଆ କଫି ବଗିଚାରୁ ସିଧା ବିଶ୍ୱସ୍ତରୀୟ BRICS ମଞ୍ଚ ପର୍ଯ୍ୟନ୍ତ। ନୂଆଦିଲ୍ଲୀରେ ଆୟୋଜିତ BRICS India Summit 2026ରେ କୋରାପୁଟ କଫି ସ୍ଥାନ ପାଇବା ପରେ ଗର୍ବ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, କୋରାପୁଟ କଫି କେବଳ ଏକ ପାନୀୟ ନୁହେଁ, ବରଂ ବିଶ୍ୱ ସାମ୍ନାରେ ଓଡ଼ିଶାର ମାଟି, ପରିଶ୍ରମ ଓ ପରିଚୟର କାହାଣୀ କହୁଛି।
ସୋସିଆଲ ମିଡିଆ ‘X’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଗତ କିଛି ଦିନ ଧରି ସେ ବିଶ୍ୱ ମଞ୍ଚରେ ଓଡ଼ିଶାର ସମ୍ଭାବନା, ସାମର୍ଥ୍ୟ ଓ ସୁଯୋଗକୁ ଉପସ୍ଥାପନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ BRICS ସମ୍ମିଳନୀରେ କୋରାପୁଟ କଫିର ପ୍ରଦର୍ଶନ ରାଜ୍ୟ ପାଇଁ ଏକ ଗୌରବର ମୁହୂର୍ତ୍ତ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ମତରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘Vocal for Local’ ଆହ୍ୱାନର ପ୍ରକୃତ ପ୍ରତିଫଳନ ହେଉଛି କୋରାପୁଟ କଫିର ଏହି ଆନ୍ତର୍ଜାତିକ ସ୍ୱୀକୃତି। ଓଡ଼ିଶାର ଚାଷୀ ଓ କଫି ଉତ୍ପାଦକଙ୍କ ପରିଶ୍ରମ ଆଜି ରାଜ୍ୟ ସୀମା ଟପି ବିଶ୍ୱର ନଜରକୁ ଆସିଛି ବୋଲି ସେ ଉଲ୍ଲେଖ କରିଛନ୍ତି।
ସେ ଆହୁରି କହିଛନ୍ତି, “ଏହା ସେହି ଓଡ଼ିଶା, ଯାହାକୁ ମୁଁ ବିଶ୍ୱ ସାମ୍ନାରେ ପରିଚିତ କରାଇବାକୁ ଚାହୁଁଛି ନିଜ ମାଟି ସହ ଯୋଡ଼ା, ନିଜ ପରିଚୟ ପ୍ରତି ଗର୍ବିତ ଏବଂ ଆତ୍ମବିଶ୍ୱାସର ସହ ବିଶ୍ୱକୁ ନିଜ କାହାଣୀ କହୁଥିବା ଓଡ଼ିଶା।”
ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ନୂଆଦିଲ୍ଲୀରେ ଚାଲିଥିବା ଦୁଇ ଦିନିଆ BRICS India Summit 2026ରେ ବିଭିନ୍ନ ଉଦୀୟମାନ ଅର୍ଥନୀତିର ନେତା ଓ ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀରେ କୋରାପୁଟ କଫିର ଉପସ୍ଥିତି ଓଡ଼ିଶାର ସ୍ୱତନ୍ତ୍ର କୃଷିଜାତ ଓ ସ୍ଥାନୀୟ ଉତ୍ପାଦକୁ ବିଶ୍ୱ ବଜାରରେ ନୂଆ ପରିଚୟ ଦେବ ବୋଲି ଆଶା କରାଯାଉଛି।