ନୂଆପଡ଼ା: ନୂଆପଡ଼ା ସବ୍-ଜେଲରୁ ୨୦ ବର୍ଷ ସଜା କାଟୁଥିବା ଜଣେ ଦୁଷ୍କର୍ମ ମାମଲାର ଦୋଷୀ ଫେରାର ହେବା ଘଟଣାରେ ବଡ଼ ପଦକ୍ଷେପ ନେଇଛି କାରା ବିଭାଗ। ସୁରକ୍ଷା ବ୍ୟବସ୍ଥାରେ ଅବହେଳା ଅଭିଯୋଗରେ ଜେଲର ବଳରାମ ବିଶି ମାଝୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି।
ଗତ ସେପ୍ଟେମ୍ବର ୭ ତାରିଖ ସକାଳ ପ୍ରାୟ ୮ଟା ବେଳେ ଜେଲ ପରିସରରେ ସଫେଇ କାମ ଚାଲିଥିବା ସମୟରେ କଏଦୀ ବିଶ୍ୱ ବିହାରୀ ମାଝୀ (୩୦) ଚମ୍ପଟ ମାରିଥିଲା। ସେ ସିନାପାଲି ଥାନା ଅଧୀନ କନ୍ଦୁଲକୋଣା ଗାଁର ବାସିନ୍ଦା। ଘଟଣା ପରେ ପୁଲିସ ଓ କାରା କର୍ତ୍ତୃପକ୍ଷ ତୁରନ୍ତ ତଲାସି ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ଫେରାର କଏଦୀର ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ।
ସୂଚନା ଅନୁସାରେ, ବିଶ୍ୱ ବିହାରୀ ୨୦୨୧ରେ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ୨୦୨୩ରେ ନୂଆପଡ଼ା ଅଦାଲତ ତାଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଥିଲେ। ଏଭଳି ଜଣେ ସଜାପ୍ରାପ୍ତ କଏଦୀ ଜେଲରୁ ଖସି ପଳାଇବା ପରେ କାରାଗାରର ସୁରକ୍ଷା ବ୍ୟବସ୍ଥା ଓ ନଜରଦାରୀକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି।
ଜେଲରଙ୍କ ନିଲମ୍ବନକୁ ପ୍ରଥମ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି। ତେବେ କେଉଁ ପରିସ୍ଥିତିରେ କଏଦୀ ସୁରକ୍ଷା ବଳୟ ଭେଦି ଫେରାର ହେଲା ଏବଂ ଅନ୍ୟ କର୍ମଚାରୀଙ୍କ ଭୂମିକାରେ କୌଣସି ଅବହେଳା କିମ୍ବା ସହଯୋଗ ଥିଲା କି ନାହିଁ, ସେନେଇ ବିଭାଗୀୟ ତଦନ୍ତ ଜାରି ରହିଛି।