ମାଲକାନଗିରି: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ମାନକାନଗିରିରେ ପ୍ରବଳ ବର୍ଷା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରିଛି । ଏହା ସହିତ ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି ।
ପ୍ରବଳ ବର୍ଷା ପାଇଁ ମାଲକାନଗିରିରେ ବନ୍ୟା ସ୍ଥିତି ଉତ୍ପନ୍ନ ହୋଇଛି । ଜାତୀୟ ରାଜପଥ ୩୨୬ର କାଙ୍କରକୁଣ୍ଡା ଏବଂ ପୋଟେରୁ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଯଦ୍ୱାରା ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼କୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ବନ୍ୟା ସ୍ଥିତିରେ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି ।
ଉଲ୍ଲେଖ ଥାଉକି, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଓଡ଼ିଶା ତଥା ଉତ୍ତର ଆନ୍ଧ୍ର ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଜାରି ରହିଥିବାବେଳେ ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ।
ସେହିପରି ନୂଆପଡ଼ା, ବଲାଙ୍ଗିର ଏବଂ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଆଶଙ୍କା ରହିଥିବାବେଳେ, ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ବଜ୍ରପାତ ସହ ପ୍ରବଳ ପବନ ଓ ବର୍ଷା ହେବାର ସମ୍ଭାବନା ରହିଛି।