ଭଦ୍ରକ : ଆସନ୍ତା ଗଣେଶ ପୂଜା ଏବଂ ଭସାଣି ଶୋଭାଯାତ୍ରାକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ଭଦ୍ରକ ଉପଜିଲ୍ଲାପାଳଙ୍କ ଦ୍ୱାରା ଡିଜେ (DJ) ବଜାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ହାଇ-ପାୱାର ସାଉଣ୍ଡ ସିଷ୍ଟମ ଓ ଅନୁରୂପ ଉଚ୍ଚଶବ୍ଦ ବର୍ଦ୍ଧକ ଯନ୍ତ୍ର ସମ୍ପୂର୍ଣ୍ଣ ନିଷେଧ ରହିବ। ପାର୍ବଣ ସମୟରେ ଶବ୍ଦ ପ୍ରଦୂଷଣକୁ ରୋକିବା ଏବଂ ସହରର ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ପାଇଁ ଏହି କଡ଼ା ନିଷ୍ପତ୍ତି ନିଆଯାଇଛି ।
ସେହିପରି ଗଣେଶ ପୂଜା ଶୋଭାଯାତ୍ରାରେ ମଧ୍ଯ ଡିଜେ ବ୍ୟବହାର ସଂପୂର୍ଣ୍ଣ ନିଷେଧ । ଭଦ୍ରକ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ୍ ସୌରଭ ଚକ୍ରବର୍ତ୍ତୀ ଏ ସମ୍ପର୍କରେ ଭଦ୍ରକ ଉପଖଣ୍ଡ ଅଧୀନ ସମସ୍ତ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଇନସମ୍ମତ ଭାବେ ଷ୍ଟାଣ୍ଡାର୍ଡ ଲାଉଡସ୍ପିକର କିମ୍ବା ପବ୍ଲିକ୍ ଆଡ୍ରେସ୍ (PA) ସିଷ୍ଟମ ବ୍ୟବହାର କରାଗଲେ ମଧ୍ୟ ପ୍ରଚଳିତ ଲାଉଡସ୍ପିକର ନିୟମ ଓ ଶବ୍ଦ ପ୍ରଦୂଷଣ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ। ଆବାସିକ ଅଞ୍ଚଳ, ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନ ନିକଟରେ ଶବ୍ଦ ସ୍ତର ଉପରେ ରହିବ ନଜର। କର୍ତ୍ତୃପକ୍ଷଙ୍କ ଅନୁମତି ବିନା ପେଣ୍ଡାଲରେ ବାଜି ପାରିବନି ମାଇକ୍ । ନିୟମ ଉଲ୍ଲଂଘନ ହେଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ।