ଭୁବନେଶ୍ୱର : ରବୀନ୍ଦ୍ର ମଣ୍ଡପ ନିକଟରେ ଏଏସଓ ,ସାମ୍ବାଦିକ ଓ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ ମାମଲାରେ ଦୁଇ ଗିରଫ। ଗାଡ଼ି ହର୍ଣ୍ଣ ବଜାଇବାକୁ କେନ୍ଦ୍ର କରି ଜଣେ ସହକାରୀ ସେକ୍ସନ ଅଫିସର (ASO), ଜଣେ ସାମ୍ବାଦିକ ଓ ସୁରକ୍ଷା କର୍ମୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ଖାରବେଳ ନଗର ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରିବା ସହ ୨ ଜଣଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ଓଡ଼ିଶା ସଚିବାଳୟର ଏଏସଓ (ASO) ତାପସ ନାୟକ ରବୀନ୍ଦ୍ର ମଣ୍ଡପ ରାସ୍ତାରେ ଯାଉଥିବା ବେଳେ ସେଠାରେ ପାର୍କିଂ ହୋଇଥିବା ଏକ କାର୍କୁ ସାଇଡ୍ କରିବା ପାଇଁ ହର୍ଣ୍ଣ ବଜାଇଥିଲେ । ଏହାକୁ ନେଇ ସେଠାରେ ଉପସ୍ଥିତ ଥିବା ଦମ୍ପତି ଏବଂ ସେମାନଙ୍କର ଜଣେ ସହଯୋଗୀ ତାପସଙ୍କ ସହ ପାଟିତୁଣ୍ଡ କରିଥିଲେ ଓ ପରେ ତାଙ୍କୁ ରାସ୍ତା ଉପରକୁ ଟାଣି ଆଣି ନିର୍ଧୁମ ମାଡ଼ ମାରିଥିଲେ। ସେହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଏକ ଆଞ୍ଚଳିକ ଦୈନିକ ଖବରକାଗଜର ସାମ୍ବାଦିକ ସ୍ମୃତି ରଞ୍ଜନ ବିଶ୍ୱାଳ, ଏଏସଓଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଉତ୍ତ୍ୟକ୍ତ ଯୁବକ ଓ ମହିଳା ଜଣକ ସାମ୍ବାଦିକଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ତେବେ ଜୀବନ ବିକଳରେ ସାମ୍ବାଦିକ ଜଣକ ରବୀନ୍ଦ୍ର ମଣ୍ଡପ ପରିସର ଭିତରକୁ ଦୌଡ଼ି ପଳାଇଥିଲେ. ଆକ୍ରମଣକାରୀମାନେ ଭିତରକୁ ପଶି ସେଠାରେ ମଧ୍ୟ ମାଡ଼ ମାରିବା ସହ ସାମ୍ବାଦିକଙ୍କ ଗଳା ଚିପିବାକୁ ଚେଷ୍ଟା କରିଥିଲେ।
ରବୀନ୍ଦ୍ର ମଣ୍ଡପର ସୁରକ୍ଷା କର୍ମୀମାନେ ମଧ୍ଯ ଏହାକୁ ଅଟକାଇବାକୁ ଚେଷ୍ଟା କରିବାରୁ ଆକ୍ରମଣକାରୀମାନେ ସେମାନଙ୍କ ସହ ମଧ୍ୟ ଧସ୍ତାଧସ୍ତି କରିଥିଲେ । ଖବର ପାଇ ପିସିଆର୍ ଓ ଖାରବେଳ ନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଗାଳିଗୁଲଜ କରିବା ସହ ଧକ୍କା ମାରିଥିଲେ।
ପୋଲିସ ଦୀର୍ଘ ସମୟର ଧସ୍ତାଧସ୍ତି ପରେ ଆହତ ଏଏସଓ ଏବଂ ସାମ୍ବାଦିକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ଏଏସଓ ତାପସ ନାୟକ ଏବଂ ସାମ୍ବାଦିକ ସ୍ମୃତି ରଞ୍ଜନ ବିଶ୍ୱାଳଙ୍କ ଅଭିଯୋଗ ଆଧାରରେ ଖାରବେଳ ନଗର ଥାନାରେ ମହିଳା, ତାଙ୍କ ସ୍ୱାମୀ ଏବଂ ସହଯୋଗୀଙ୍କ ବିରୋଧରେ ଦୁଇଟି ପୃଥକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।
ଘଟଣା ସମୟର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଅଭିଯୁକ୍ତମାନେ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଛି ।