ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଜି ଶନିବାର ଦିନ ମଧ୍ୟ ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିବ ଏବଂ ଆସନ୍ତାକାଲି ରବିବାରଠାରୁ ବର୍ଷାର ପରିମାଣ କମିବାକୁ ଲାଗିବ।
କେଉଁ ସବୁ ଜିଲ୍ଲାରେ ରହିଛି ପ୍ରବଳ ବର୍ଷା ଆଶଙ୍କା ?
ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଓଡ଼ିଶା ତଥା ଉତ୍ତର ଆନ୍ଧ୍ର ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଜାରି ରହିଥିବାବେଳେ ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ।
ସେହିପରି ନୂଆପଡ଼ା, ବଲାଙ୍ଗିର ଏବଂ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଆଶଙ୍କା ରହିଥିବାବେଳେ, ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ବଜ୍ରପାତ ସହ ପ୍ରବଳ ପବନ ଓ ବର୍ଷା ହେବାର ସମ୍ଭାବନା ରହିଛି।
ଆଗାମୀ ଦିନରେ କେମିତି ରହିବ ପାଣିପାଗ ?
ଆସନ୍ତାକାଲି ଅର୍ଥାତ୍ ରବିବାର ଦିନ ରାଜ୍ୟରେ ବର୍ଷାର ପରିମାଣ ବହୁ ମାତ୍ରାରେ ହ୍ରାସ ପାଇବ। ପରଦିନ ଅର୍ଥାତ୍ ସୋମବାରଠାରୁ ବର୍ଷାର ପ୍ରଭାବ ଆଉ ବିଶେଷ ରହିବ ନାହିଁ ଏବଂ କେତେକ ସ୍ଥାନରେ କେବଳ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।