ଭୁବନେଶ୍ୱର : ନନ୍ଦନକାନନ ପାଇଁ ଆସିଲା ଏକ ଦୁଃଖଦ ଖବର। ସିଂହୀ ମାୟାର ମାତୃତ୍ୱରେ ପୁଣି ଦୁଃଖର ଛାୟା ଖେଳିଯାଇଛି। ଆଖି ଖୋଲିବା ପୂର୍ବରୁ ଆଖିବୁଜିଲା ତିନି ଦିନର ସିଂହ ଶାବକ। ପ୍ରଥମ ଥର ପାଇଁ ମାଆ ହୋଇଥିବା ମାୟାର ଦୁଇ ଶାବକଙ୍କ ମଧ୍ୟରୁ ପୁଣି ଆଉ ଗୋଟିଏ ଶାବକର ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ ଗତ ୭ ତାରିଖରେ ମାୟା ଦୁଇଟି ସିଂହ ଶାବକ ଜନ୍ମ ଦେଇଥିଲା। ହେଲେ ଜନ୍ମ ହେବା କ୍ଷଣି ହିଁ ଗୋଟିଏ ଶାବକର ମୃତ୍ୟୁ ହୋଇଥିଲା। ଏବେ ଜନ୍ମର ମାତ୍ର ତିନି ଦିନ ପରେ ଆଉ ଗୋଟିଏ ଅଣ୍ଡିରା ଶାବକ ମଧ୍ୟ ମରିଯାଇଛି । ମାଆର କ୍ଷୀର ସଠିକ୍ ଭାବେ ପିଇ ପାରୁନଥିଲା ଶାବକ। କ୍ଷୀର ପାଟି ଦେଇ ନଯାଇ ନାକ ବାଟେ ବାହାରି ଆସୁଥିଲା। ତେବେ ଜନ୍ମରୁ ଜାତ ବେଳେ ତାଳୁରେ ଫାଟ ଥିବା ଯୋଗୁଁ ପର୍ଯ୍ୟାପ୍ତ କ୍ଷୀର ପାନ କରିନପାରିବା ହିଁ ଶାବକର ମୃତ୍ୟୁର ମୁଖ୍ୟ କାରଣ ବୋଲି ପୋଷ୍ଟମର୍ଟମ୍ ରିପୋର୍ଟରୁ ଜଣାପଡ଼ିଛି।