ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ହୋଇଛି ମାଲକାନଗିରି ।ଜିଲ୍ଲାର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତଙ୍କ ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି।ବାଲିମେଳା ଡ୍ୟାମ୍ ପାଖରେ ୨୧୯ ମିମି ବର୍ଷା ରେକର୍ଡ, ମାଲକାନଗିରି, ଚିତ୍ରକୋଣ୍ଡାରେ ୧୯୨ ମିମି ବର୍ଷା ରେକର୍ଡ, କୋଲାବ ସିଷ୍ଟମର ଉପର ମୁଣ୍ଡରେ ଫ୍ଲାସ୍ ଫ୍ଲଡ୍ ପରିସ୍ଥିତି ସୃଷ୍ଟି ହୋଇଛି।
ଗତକାଲି ଠାରୁ ଲଗାଣ ବର୍ଷା ଯୋଗୁଁ ଅନେକ ପୋଲଗୁଡ଼ିକ ଜଳମଗ୍ନ ହୋଇପଡ଼ିଛି। ଫଳସ୍ୱରୂପ ଜାତୀୟ ରାଜପଥ-୩୨୬ରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯିବା ସହ ଶହ ଶହ ଗାଡ଼ି ଅଟକି ରହିଛି। ଯାହା ମାଲକାନଗିରି ଜିଲ୍ଲାର ପରିବହନ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦେଇଛି। ଏପରିକି ମୁଖ୍ୟ ପୋଲଗୁଡ଼ିକ ବୁଡ଼ି ରହିବା ସହ ଅନେକ ସ୍ଥାନରେ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। କାଙ୍ଗୁରୁକୋଣ୍ଡା ଏବଂ କନ୍ୟାଶ୍ରମ ପୋଲ ଉପରେ ପାଣି ସ୍ତର ୩ ଫୁଟ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବା ଫଳରେ ଜାତୀୟ ରାଜପଥ-୩୨୬ରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ପୋଟେରୁ ଏବଂ କାଙ୍ଗୁରୁକୋଣ୍ଡା ପୋଲ ମଧ୍ୟ ଜଳମଗ୍ନ ହୋଇଥିବାରୁ ମାଲକାନଗିରି ଏବଂ ମୋଟୁ-କାଲିମେଳା ମଧ୍ୟରେ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। କାଲିମେଳା ଏବଂ ପାଡ଼ିଆ ସହିତ ମାଲକାନଗିରିର ଅନ୍ୟ ଅଞ୍ଚଳର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ଯାତାୟାତ ଓ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।