ବ୍ରହ୍ମପୁର: ଏକ ସେଣ୍ଟିମିଟର ଚକରେ ବ୍ରିକ୍ସ ସମ୍ମିଳନୀର କଳାକୃତି । ଯେଉଁଥିରେ ବ୍ରିକ୍ସର ସମସ୍ତ ସଦସ୍ୟ ଦେଶ ଏବଂ ତାର ପ୍ରମୁଖ ନେତୃବୃନ୍ଦଙ୍କ ପ୍ରତିକୃତି ରହିଛି । ଏଭଳି କିଛି ଚମତ୍କାରିତା କରି ଦେଖାଇଛନ୍ତି ଶିଳ୍ପୀ କେ. ବିଜୟ କୁମାର ରେଡ୍ଡୀ । ତାଙ୍କର ଏହି କ୍ଷୁଦ୍ର କଳାକୃତି ଦେଇଛି ବଡ଼ ସଫଳତା । ଯେଉଁଥିପାଇଁ ତାଙ୍କୁ ଦକ୍ଷିଣ ଆଫ୍ରିକା ପ୍ରଶଂସା କରିଛି । ଆଉ ସେହି କଳାକୃତୀକୁ ନେବାକୁ ଦକ୍ଷିଣ ଆଫ୍ରିକା ଇଚ୍ଛା ପ୍ରକାଶ କରିଛି ।
ବ୍ରହ୍ମପୁର ଡୁରା ଗ୍ରାମର ଯୁବ ଇଞ୍ଜିନିୟର କେ. ବିଜୟ କୁମାର ରେଡ୍ଡି ଚକରେ ବ୍ରିକ୍ସ ପ୍ରତିନିଧିମାନଙ୍କର କ୍ଷୁଦ୍ର ପ୍ରତିକୃତି ଓ ବ୍ରିକ୍ସ ଲୋଗୋ ତିଆରି କରିଛନ୍ତି । ବ୍ରାଜିଲ୍, ରୁଷ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକାର ଜାତୀୟ ପତାକା ରହିଛି । ଏହା ସହିତ ଏହି ସମସ୍ତ ଦେଶ ମାନଙ୍କର ରାଷ୍ଟ୍ର ନେତାଙ୍କ ପ୍ରତିକୃତି ପ୍ରସ୍ତୁତ ରହିଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭ୍ଲାଦିମିର ପୁତିନ, ସି ଜିନପିଙ୍ଗ, ଲୁଲା ଜା ସିଲଭା, ରାମଫୋସାଙ୍କ କ୍ଷୁଦ୍ର ପ୍ରତିକୃତି ରହିଛି । ଆଉ ଏହି କଳାକୃତି ମାତ୍ର ଏକ ସେଣ୍ଟିମିଟର ଉଚ୍ଚତା ଚକରେ ପ୍ରସ୍ତୁତ କରାଯାଇଛି ।
ବିଜୟଙ୍କ ଏହି କଳାକୃତି ନେଇ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକୁ ଅବଗତ କରାଯାଇଥିଲା । ଦକ୍ଷିଣ ଆଫ୍ରିକା ଉଚ୍ଚ ଆୟୁକ୍ତ ଇ-ମେଲ୍ ଯୋଗେ ବିଜୟଙ୍କୁ ଶୁଭେଚ୍ଛା ଜଣାଇଛି । ଏହାକୁ ନେବାକୁ ଦକ୍ଷିଣ ଆଫ୍ରିକା ଇଚ୍ଛା ପ୍ରକାଶ କରିଛି ।