ମାଲକାନଗିରି ବନ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଆନ୍ତଃରାଜ୍ୟ ବନ୍ୟଜନ୍ତୁ ଅଙ୍ଗ ତସ୍କରି ରାକେଟ୍ର ପର୍ଦ୍ଦାଫାସ୍ କରାଯାଇଛି। ଏହି ମିଳିତ ଚଢ଼ାଉରେ ବନ ବିଭାଗ ୩୫୨ଟି ବଜ୍ରକାପ୍ତା କାତି ଜବତ କରିବା ସହ ୬ ଜଣ ଚୋରାଚାଲାଣକାରୀ ଗିରଫ ହୋଇଛନ୍ତି । ଜବତ ହୋଇଥିବା ଏହି ବଜ୍ରକାପ୍ତା କାତିଗୁଡ଼ିକର ଓଜନ ପ୍ରାୟ ୨ କିଲୋଗ୍ରାମ ହେବ ବୋଲି ସୂଚନା ମିଳିଛି ।
ସୂଚନା ଅନୁଯାୟୀ ମାଲକାନଗିରି ସଦର ନିକଟସ୍ଥ ଡ୍ୟାମ୍ ସାଇଡ୍ ଛକ ନିକଟରେ ଚାଲିଥିଲା ଏହି ଡିଲ୍ । ପୂର୍ବରୁ ଖବର ପାଇ ସେଠାରେ ଜଗି ରହିଥିଲା ବନ ବିଭାଗର ସ୍ୱତନ୍ତ୍ର ଟିମ୍ । ଡିଲ୍ ସମୟରେ ଚଢ଼ାଉ କରି ୩୫୨ଟି ବଜ୍ରକାପ୍ତା କାତି ଜବତ କରିଥିଲା ବନ ବିଭାଗ । ଏଥିସହ ୩ଟି ବାଇକ୍ ଓ ୫ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି । ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ମାଲକାନଗିରି ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ୨ ଜଣ ବୈପାରୀଗୁଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି ।ତେବେ ଏହି ବଜ୍ରକାପ୍ତା କାତି କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ତାହାର ଛାନଭିନ ଆରମ୍ଭ କରିଛି ବନ ବିଭାଗ ।