ଭୁବନେଶ୍ୱର : ଏଥର ଗଣେଶ ପୂଜାରେ ବାଜିବନି ଡିଜେ। ଭସାଣୀ ବେଳେ ବି ବାଣ ଫୁଟିବାକୁ ସମ୍ପୂର୍ଣ୍ଣ ନିଷେଧ ରହିଛି । ରାତି ୧୦ଟା ଭିତରେ ସରିବ ମେଲୋଡି ଓ କାର୍ଯ୍ୟକ୍ରମ। ଗଣେଶ ପୂଜା ପାଇଁ ଚଳିତବର୍ଷ ଭୁବନେଶ୍ୱରରେ କମିଶନରେଟ ପୋଲିସ କଟକଣା ଜାରି କରିଛି। ସୁରକ୍ଷାକୁ ଆଖି ଆଗରେ ରଖି ଭୁବନେଶ୍ୱରରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ଜଟଣୀ ପାଇଁ ମଧ୍ୟ ସ୍ବତନ୍ତ୍ର ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା କରାଯାଇଛି ।
ଚଳିତ ଥର ଗଣେଶ ପୂଜାରେ ଜଟଣୀ ସମେତ ଭୁବନେଶ୍ୱରରେ ମୋଟ ୪୨୦ଟି ମେଢ଼ ପୂଜା ପାଇବେ । ପୋଲିସ ପକ୍ଷରୁ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ପୂଜାମଣ୍ଡପରେ ଲୋକଙ୍କ ଶୃଙ୍ଖଳିତ ଦର୍ଶନ ସହ ଟ୍ରାଫିକ ପରିଚାଳନା ପାଇଁ ବିଶେଷ ଭାବେ ଧ୍ୟାନ ଦିଆଯାଇଛି। ମଣ୍ଡପ ପକ୍ଷରୁ ବ୍ୟାପକ ଭଲ୍ୟୁଣ୍ଟର ସହ ସିସିଟିଭି ଜରିଆରେ ନଜର ରଖି ପରିଚାଳନା ପାଇଁ ଗୁରୁତ୍ବ ଦିଆଯାଇଛି। ସାଧାବେଶରେ ପୋଲିସ ମୁତୟନ ସହ ମହିଳା ପୋଲିସ ମଧ୍ଯ ମୁତୟନ ହୋଇଛନ୍ତି ।
ଅପରାଧୀଙ୍କ ଉପରେ ନଜର ରଖିବାକୁ ସ୍ବତନ୍ତ୍ର ଟିମ୍ ସହ ପିସିଆର ଆଲର୍ଟ କରଯାଇଛି। ୭ଟି ସ୍ଥାନରେ ମେଢ଼ ବିସର୍ଜନ ପାଇଁ ସ୍ଥାନ ନିରୁପଣ ସହ ତିନି ଦିନ ଭସାଣି ପାଇଁ ନିର୍ଦ୍ଧାରିତ ତାରିଖ ଘୋଷଣା ହୋଇଛି ।