ଆଜି ପବିତ୍ର ଗଣେଶ ପୂଜା । ବିଘ୍ନ ବିନାଶକ ବିଘ୍ନହର୍ତ୍ତାଙ୍କ ପୂଜାରେ ଉତ୍ସବମୁଖର ସାରା ଦେଶ । ଓଡ଼ିଶାର ସ୍କୁଲ-କଲେଜରେ ଚାଲିଛି ପୂଜାର ଧୂମ୍ । ସକାଳୁ ସକାଳୁ ସ୍କୁଲ, କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆରମ୍ଭ ହୋଇଯାଇଛି ପୂଜା ପ୍ରସ୍ତୁତି । ନୂଆ ପୋଷାକ ପିନ୍ଧି ଛାତ୍ରଛାତ୍ରୀ ପୂଜାରେ ସାମିଲ ହୋଇଛନ୍ତି ।
ନୂଆ ବହି, ଖାତା ଓ କଲମ ଗଣେଶଙ୍କ ନିକଟରେ ରଖି ବିଦ୍ୟା ଓ ବୁଦ୍ଧି ପାଇଁ ଆଶୀର୍ବାଦ ଭିକ୍ଷା କରିବେ ଛାତ୍ରଛାତ୍ରୀ । ଓଡ଼ିଶାର ଗଣେଶ ପୂଜା ମାନଚିତ୍ରରେ ଜଟଣୀର ସ୍ଥାନ ସ୍ୱତନ୍ତ୍ର ରହିଛି । ଏଠାରେ ବର୍ଷ ବର୍ଷ ଧରି ବଡ଼ ଆକାରରେ ସାର୍ବଜନୀନ ଗଣେଶ ପୂଜା ଆୟୋଜିତ ହୋଇଆସୁଛି ।
ବିଶାଳ ତୋରଣ, ଆକର୍ଷଣୀୟ ପଣ୍ଡାଲ, ଆଲୋକସଜ୍ଜା ଓ ମେଳା ପାଇଁ ଜଟଣୀର ଗଣେଶୋତ୍ସବ ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକଙ୍କୁ ଆକର୍ଷିତ କରେ ।
ସେହିପରି ଭୁବନେଶ୍ୱର ଓ କଟକରେ ମଧ୍ୟ ବିଭିନ୍ନ ପୂଜା କମିଟି ପକ୍ଷରୁ ଗଣେଶ ପୂଜାର ବ୍ୟାପକ ଆୟୋଜନ ହୋଇଛି । ତାଳଚେର, ଅନୁଗୋଳ ଓ ରାଉରକେଲା ଭଳି ଶିଳ୍ପାଞ୍ଚଳରେ ବିଭିନ୍ନ କ୍ଲବ, ସଂଗଠନ ଓ ପୂଜା କମିଟି ପକ୍ଷରୁ ଆଡ଼ମ୍ବରରେ ଗଜାନନଙ୍କ ଆରାଧନା ପାଇଁ ପ୍ରସ୍ତୁତ ସରିଛି।