ଭୁବନେଶ୍ୱର: ଅକ୍ଟୋବର ମାସରେ ଓଡ଼ିଶା ରାଜନୀତି ସରଗରମ ହେବାର ସମ୍ଭାବନା। ଲୋକସଭା ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ଭୁବନେଶ୍ୱର ଗସ୍ତ କରିପାରନ୍ତି। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ମଙ୍ଗଳବାର ଏହି ସୂଚନା ଦେଇ କହିଛନ୍ତି ଯେ, ଯୁବ କାର୍ଯ୍ୟକ୍ରମ ‘ଛାତ୍ରୋଁ କି ଗୁଞ୍ଜ’ ରେ ଯୋଗଦେବା ପାଇଁ ରାହୁଲଙ୍କୁ ପ୍ରସ୍ତାବ ପଠାଯାଇଛି ଏବଂ ତାଙ୍କ ଆଗମନର ସମ୍ଭାବନା ରହିଛି।
ଏହି ମେଗା କାର୍ଯ୍ୟକ୍ରମରେ ପ୍ରାୟ ୨୦ ହଜାର ଯୁବକ-ଯୁବତୀ ଅଂଶଗ୍ରହଣ କରିବେ। ଜେନ-ଜେଡ୍ ପିଢ଼ିର ସମସ୍ୟା, ନିଯୁକ୍ତି, ଶିକ୍ଷା, କୌଶଳ ବିକାଶ ଓ ଯୁବଙ୍କ ଆକାଂକ୍ଷାକୁ କେନ୍ଦ୍ର କରି ଆଲୋଚନା ହେବ। ଭୁବନେଶ୍ୱରରେ ଅକ୍ଟୋବରରେ ଏହାକୁ କଂଗ୍ରେସର ସବୁଠାରୁ ବଡ଼ ଯୁବ ସମ୍ମିଳନୀ ଭାବେ ଆୟୋଜନ କରିବାକୁ ଦଳ ପ୍ରସ୍ତୁତି ଆରମ୍ଭ କରିଛି।
ଆଗାମୀ ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି କଂଗ୍ରେସ ରାଜ୍ୟବ୍ୟାପୀ ମାରାଥନ କାର୍ଯ୍ୟକ୍ରମର ରୋଡମ୍ୟାପ୍ ମଧ୍ୟ ପ୍ରସ୍ତୁତ କରିଛି। ଅକ୍ଟୋବର ୨ ରୁ ନବରଙ୍ଗପୁରରୁ ଏକ ବିଶାଳ ପଦଯାତ୍ରା ଆରମ୍ଭ ହେବ। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର କଂଗ୍ରେସ କର୍ମୀ ଯୋଗଦେବେ ଓ ସ୍ୱତନ୍ତ୍ର କମିଟି ମାଧ୍ୟମରେ ସମଗ୍ର କାର୍ଯ୍ୟକ୍ରମର ତଦାରଖ କରାଯିବ।
ଭକ୍ତ ଚରଣ ଦାସ ଆହୁରି କହିଛନ୍ତି, ୨୦୨୭ ଜାନୁଆରିରୁ ଫେବୃଆରି ମଧ୍ୟରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ମଧ୍ୟ ଓଡ଼ିଶା ଗସ୍ତ କରିବେ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯୁବ, କୃଷକ ଓ ସାଧାରଣ ଜନତାଙ୍କୁ କେନ୍ଦ୍ର କରି କଂଗ୍ରେସ ରାଜ୍ୟରେ ବ୍ୟାପକ ପ୍ରଚାର ଅଭିଯାନ ଚଳାଇବାକୁ ଯୋଜନା କରିଛି।