ନୂଆଦିଲ୍ଲୀ: ସମୁଦ୍ର ଭିତରେ ଦେଶକୁ ସୁରକ୍ଷା ଦେବ ମାଛ । ଏକଥା ଅଜବ ଲାଗୁଥିଲେ ମଧ୍ୟ ସତ୍ୟ ଅଟେ । ସମୁଦ୍ରରେ ଶତ୍ରୁଙ୍କ ଉପରେ ନଜର ରଖିବାକୁ ଚୀନ ଏଭଳି ଏକ ରୋବୋଟିକ୍ ମାଛର ଆବିଷ୍କାର କରିଛି । ଯାହାକୁ ଚାଇନା ଇଣ୍ଟରନାସନାଲ ଫେୟାର୍ ଫର୍ ଟ୍ରେଡ୍ ଇନ୍ ସର୍ଭିସେସ୍ କାର୍ୟ୍ୟକ୍ରମରେ ପ୍ରଦର୍ଶନ କରାଯାଇଛି ।
ଚୀନର ବାୟାଙ୍ଗୋଗଦାଓ ମରୀନ୍ ଟେକ୍ନୋଲୋଜି ଗ୍ରୁପ୍ ‘ବିଜି-୫ ଗୋଲ୍ଡେନ୍ ଡ୍ରାଗନ୍ ଫିସ୍’ ନାମରେ ଏକ ରୋବୋଟ୍ ମାଛ ତିଆରି କରିଛି । ଯାହା ପାଣି ଭିତରେ ରହି ଶତ୍ରୁ ପକ୍ଷ ଉପରେ ନଜର ରଖିବ । ଏହା ଗୋଲ୍ଡେନ୍ ଏରୋୱାନା ମାଛର ଅବିକଳ ନକଲ ଅଟେ । ଏହା ପାଣି ଭିତରେ ରହି ଏକ ଡ୍ରୋନ୍ ଭଳି କାର୍ୟ୍ୟକରିବ । ଏଥିରେ କୌଣସି ପଙ୍ଖା ଲଗାଯାଇ ନାହିଁ ବରଂ ମାଛ ଭଳି ପାଣିରେ ପହଁରିବ ।
ଏହି ମାଛର ବିଶେଷତ୍ୱ ହେଉଛି, ଏଥିରେ ଅନେକ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ରହିଛି । ଏହି ରୋବୋଟ୍ ମାଛର ଆଗରେ କୌଣସି ପଥର କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଆସିଲେ ତାହାକୁ ସେ ଅତି ସହଜରେ ଚିହ୍ନଟ କରିପାରିବ ଏବଂ ନିଜର ଗତିପଥ ବଦଳାଇ ଦେବ । ଅତି ଗଭୀରରୁ ଗଭୀର ପାଣି ଭିତରକୁ ଯାଇପାରିବ ଯେଉଁଠାରେ ମଣିଷର ସିଗନାଲ୍ ପହଁଚିବାରେ ବିଫଳ ହୋଇଥାଏ । ଏଭଳି ରୋବଟିକ୍ ମାଛ ପରସ୍ପର ସହିତ ତଥ୍ୟର ଆଦାନ ପ୍ରଦାନ ମଧ୍ୟ କରିପାରିବେ ।
ଅଧିକ ପଢ଼ନ୍ତୁ:-
ଏହାର ଲାଞ୍ଜକୁ ୩ଟି ଜଏଣ୍ଟ ରହିଛି ଏବଂ ୭ଟି ଭିନ୍ନ ଭାଗରେ ବିଭକ୍ତ ହୋଇଛି । ଯାହା ପାଣିରେ ତରଙ୍ଗ ସୃଷ୍ଟି କରେ ଏବଂ ଏହାକୁ ପ୍ରତି ସେକେଣ୍ଡରେ ୦.୬ ମିଟର ବେଗରେ ୫ ମିଟର ଗଭୀରତା ପର୍ୟ୍ୟନ୍ତ ପହଁରିବାରେ ସାହାଯ୍ୟ କରେ।
ପ୍ରକାଶ ଥାଉକି, ବାୟାଙ୍ଗୋଗଦାଓ ମରୀନ୍ ଟେକ୍ନୋଲୋଜି ଗ୍ରୁପ୍ କମ୍ପାନୀ ଚୀନ ପ୍ରତିରକ୍ଷା ବିଭାଗ ସହିତ କାମ କରୁଛି । ପୂର୍ବରୁ ଏହି କମ୍ପାନୀ ଚୀନ ସେନା ପାଇଁ ଏକ ରୋବୋ ସାର୍କ ନାମରେ ଏକ ଆକ୍ରମଣକାରୀ ରୋବୋଟ୍ ତିଆରି କରିଥିଲା ।