ନୂଆଦିଲ୍ଲୀ: ୨୦୨୪ ବାଂଲାଦେଶ ଛାତ୍ର ହିଂସା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଆବାମୀ ଲିଗ୍ ଦଳକୁ ଝଟକା ଲାଗିଛି । ଆବାମୀ ଲିଗର ୭ ଜଣ ବରିଷ୍ଠ ନେତାଙ୍କୁ ବାଂଲାଦେଶ ଅନ୍ତରାଷ୍ଟ୍ରୀୟ ଅପରାଧ ନ୍ୟାୟାଧିକରଣ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି ।
ବିଚାରପତି ନଜରୁଲ ଇସ୍ଲାମ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ ଟ୍ରିବ୍ୟୁନାଲ-୨ ଏହି ରାୟ ଶୁଣାଇଛନ୍ତି । ହତ୍ୟା, ହିଂସାକୁ ଉସକାଇବା ଏବଂ ଷଡ଼ଯନ୍ତ୍ର ରଚିବା ଅଭିଯୋଗରେ ଆବାମୀ ଲିଗର ମହାସଚିବ ତଥା ପୂର୍ବତନ ମନ୍ତ୍ରୀ ଓବୈଦୁଲ କାଦର, ଯୁଗ୍ମ ମହାସଚିବ ଏଏଫ୍ଏମ୍ ବହାଉଦ୍ଦୀନ ନସୀମ, ପୂର୍ବତନ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ମହମ୍ମଦ ଅଲୀ ଅରାଫତ, ଯୁବ ଲିଗ୍ ଅଧ୍ୟକ୍ଷ ଶେଖ ଫଜଲ ଶମ୍ସ ପରାଶ, ମୈନୁଲ ହୁସୈନ ଖାନ ନିଖିଲ, ଛାତ୍ର ଲିଗ୍ ସଭାପତି ସଦ୍ଦାମ ହୁସୈନ ଏବଂ ଶେଖବଲୀ ଆସିଫ ଏନାଂଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସମସ୍ତ ଅଭିଯୁକ୍ତ ବର୍ତ୍ତମାନ ଦେଶରୁ ଫେରାର ଅଛନ୍ତି । ସମସ୍ତେ ଅନ୍ୟ ଦେଶରେ ଆଶ୍ରୟ ନେଇଛନ୍ତି । ସମସ୍ତେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ସେମାନଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ଉଚିତ ବୋଲି ଅଦାଲତ କହିଛନ୍ତି ।
ଅଦାଲତ କହିଛନ୍ତି ଯେ ଛାତ୍ର ଆନ୍ଦୋଳନକୁ ଦବାଇ ଦେବାକୁ ହସିନାଙ୍କ ଦଳ ପକ୍ଷରୁ ଚାପ ପ୍ରୟୋଗ କରାଯାଇଥିଲା । ଏହା ସହିତ ସମସ୍ତ ଅଭିଯୁକ୍ତଙ୍କ ୫୦ ପ୍ରତିଶତ ସମ୍ପତ୍ତି ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜବତ ସମ୍ପତିକୁ ବିକ୍ରି କରି ଉକ୍ତ ଟଙ୍କାକୁ ଜୁଲାଇ ଫାଉଣ୍ଡେସନ୍ କିମ୍ବା କୌଣସି ସରକାରୀ ସଂସ୍ଥା ଜରିଆରେ ହିଂସାରେ ମୃତ୍ୟୁବରଣ କରିଥିବା ପୀଡ଼ିତଙ୍କ ପରିବାର କିମ୍ବା ଆହତଙ୍କ ପରିବାରକୁ ସହାୟତା ଆକାରରେ ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।
୨୦୨୪ ମସିହା ଜୁଲାଇରୁ ଅଗଷ୍ଟ ମଧ୍ୟରେ ତତ୍କାଳୀନ ଶେଖ ହସିନାଙ୍କ ସରକାରଙ୍କ ବିରୋଧରେ ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକିଥିଲା । ସରକାରୀ ଚାକିରୀରେ ସଂରକ୍ଷଣକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ହୋଇଥିଲା । ଏହି ଆନ୍ଦୋଳନ ହିଂସାରେ ପରିଣତ ହୋଇଥିଲା । ଯେଉଁଥିରେ ୧୪୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କର ପୋଲିସ ଗୁଳିରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହା ସହିତ ୨୫ ହଜାରରୁ ଅଧିକ ପ୍ରଦର୍ଶନକାରୀ ଆହତ ହୋଇଥିଲେ । ଜାତିସଂଘର ମାନବାଧିକାର କାର୍ୟ୍ୟାଳୟ ମଧ୍ୟରେ ଅନୁରୂପ ଆଶଙ୍କା କରିଥିଲା ।