ନୂଆଦିଲ୍ଲୀ: ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ଙ୍କ ମଧ୍ୟରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକକୁ ନେଇ ଚୀନ୍ ପକ୍ଷରୁ ଏକ ବଡ଼ ବୟାନ୍ ଜାରି କରାଯାଇଛି। ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ସୋମବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ମତକୁ ପ୍ରଶଂସା କରି କହିଛନ୍ତି ଯେ, ଚୀନ୍ ସହ ସମ୍ପର୍କକୁ ନେଇ ଭାରତର ଆଭିମୁଖ୍ୟ ସମ୍ପୂର୍ଣ୍ଣ ସ୍ୱାଧୀନ ଏବଂ ଏହା କୌଣସି ତୃତୀୟ ପକ୍ଷର ପ୍ରଭାବରୁ ମୁକ୍ତ। ଏଥିସହ ଭାରତ ନିଜ ମାଟିରେ କୌଣସି ଶକ୍ତିକୁ ଚୀନ୍ ବିରୋଧୀ ଗତିବିଧି ଚଳାଇବାକୁ ଦେବ ନାହିଁ ବୋଲି ସ୍ପଷ୍ଟ କରିଛି।
ପରସ୍ପରର ଭାଗିଦାରୀ ହେବାକୁ ଏକମତ
ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସି ଜିନପିଙ୍ଗ୍ଙ୍କ ବୈଠକ ସମ୍ପର୍କରେ ସୂଚନା ଦେଇ ୱାଙ୍ଗ ୟି କହିଛନ୍ତି ଯେ, ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କର ରଣନୈତିକ ଏବଂ ଦୀର୍ଘମିଆଦୀ ଦିଗଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ସବୁଠାରୁ ବଡ଼ ସହମତି ଏହା ଥିଲା ଯେ ଚୀନ୍ ଏବଂ ଭାରତ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ନୁହେଁ, ବରଂ ପ୍ରକୃତ ଅର୍ଥରେ ଭାଗିଦାରୀ ବା ପାର୍ଟନର୍ ହେବା ଉଚିତ୍। ଜିନପିଙ୍ଗ୍ ମତ ପ୍ରକାଶ କରିଛନ୍ତି ଯେ ଉଭୟ ଦେଶ ପରସ୍ପରର ଶକ୍ତିରୁ ଲାଭ ଉଠାଇ ଏବଂ ପରସ୍ପରକୁ ସହଯୋଗ କରି ମିଳିତ ଭାବେ ବିକାଶ ପଥରେ ଆଗେଇ ପାରିବେ।
ସୀମା ବିବାଦ ଏବଂ ଶାନ୍ତି ରକ୍ଷା ଉପରେ ଗୁରୁତ୍ୱ
ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ କହିବାନୁସାରେ, ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଉଭୟ ଦେଶ ମିଳିତ ଭାବେ କାମ କରିବାକୁ ରାଜି ହୋଇଛନ୍ତି। ପରସ୍ପରର ରାଜନୈତିକ ବିଶ୍ୱାସକୁ ଆହୁରି ମଜବୁତ୍ କରିବା, ମତଭେଦଗୁଡ଼ିକୁ ସଠିକ୍ ଭାବେ ସମାଧାନ କରିବା ଏବଂ ସୀମାରେ ଶାନ୍ତି ବଜାୟ ରଖିବାକୁ ଉଭୟ ପକ୍ଷରୁ ସଂକଳ୍ପ ନିଆଯାଇଛି। ସୀମା ସମସ୍ୟା ଓ ଦ୍ୱିପାକ୍ଷିକ ସମ୍ପର୍କକୁ ଏକାସାଙ୍ଗରେ ଆଗକୁ ବଢ଼ାଇବାକୁ ଜିନପିଙ୍ଗ୍ ଆହ୍ୱାନ କରିଛନ୍ତି।
ଭାରତର ପକ୍ଷ ଏବଂ ବିଶ୍ୱ ସ୍ତରରେ ସହଯୋଗ
ୱାଙ୍ଗ ୟି ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରିଛନ୍ତି ଯେ ଭାରତ ଚୀନ୍ର ଶତ୍ରୁ ନୁହେଁ ବଂର ଜଣେ ଭଲ ଭାଗିଦାରୀ ହେବାକୁ ପ୍ରସ୍ତୁତ ରହିଛି। ଭାରତ ଚୀନ୍ର ବିକାଶକୁ କୌଣସି ଆହ୍ୱାନ ଭାବେ ନୁହେଁ, ବରଂ ଏକ ସୁଯୋଗ ଭାବେ ଦେଖୁଛି। ତେବେ ଉଭୟ ଦେଶ ମଧ୍ୟରେ କିଛି ମତଭେଦ ଥିଲେ ମଧ୍ୟ ଜଳବାୟୁ ପରିବର୍ତ୍ତନ, ଖାଦ୍ୟ ଓ ଶକ୍ତି ସୁରକ୍ଷା ଏବଂ ବିକାଶଶୀଳ ଦେଶଗୁଡ଼ିକର ଅଧିକାର ଭଳି ପ୍ରସଙ୍ଗରେ ଉଭୟ ଦେଶ ଏକାଠି କାମ କରିବେ।