ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଦକ୍ଷିଣ କେପ୍ ଅଞ୍ଚଳରେ ଏକ ରାଜପଥରେ ଦୁଇଟି ଯାତ୍ରୀ ବାହୀ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଅନେକ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି ।
ରବିବାର ବିଳମ୍ବିତ ରାତି କେପ୍ ଟାଉନରୁ ପ୍ରାୟ ୩୮୦ କିଲୋମିଟର ଦୂର ପ୍ରିନ୍ସ ଆଲବର୍ଟ ଏବଂ ଲୀଉଗାମକା ମଧ୍ୟରେ ଘଟିଛି । ପ୍ରଥମେ ଦୁଇଟି ବସ୍ ପରସ୍ପର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହା ପରେ ଆଉ ଏକ ଚାରି ଚକିଆ ଯାନ ଆସି ସେମାନଙ୍କୁ ଧକ୍କା ଦେଇଥିଲା । ଏହା ପରେ ସ୍ଥାନୀୟ ପୋଲିସ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।
ପ୍ରାୟ ୨୧ ଜଣ ଯାତ୍ରୀଙ୍କୁ ମୃତ ଘୋଷଣା କରାଯାଇଥିବାବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ସ୍ଥାନୀୟ ଅଧିକାରୀମାନେ ଆଶଙ୍କା କରିଛନ୍ତି । ଅନେକ ବର୍ତ୍ତମାନ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।