ଭୁବନେଶ୍ୱର: ରାଜ୍ୟରେ ରନ୍ଧନ ଗ୍ୟାସର କଳାବଜାରୀକୁ ରୋକିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ବଡ଼ ଧରଣର ଚଢ଼ାଉ ଆରମ୍ଭ କରିଛି। ରାଜ୍ୟବ୍ୟାପୀ ୩,୮୩୮ଟି ସ୍ଥାନରେ ରେଡ୍ ଓ ଯାଞ୍ଚ କରାଯାଇଥିବା ବେଳେ ୮,୪୫୭ଟି LPG ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି।
ଚଢ଼ାଉ ସମୟରେ କଳାବଜାରୀ ଓ ମହଜୁଦଦାରୀ ଅଭିଯୋଗରେ ୪୭ଟି FIR ରୁଜୁ ହୋଇଛି। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ଆଇନ (EC Act) ଅଧୀନରେ ୪୯୮ଟି ମାମଲା ରୁଜୁ କରାଯାଇଥିବା ବେଳେ ୯ ଜଣଙ୍କୁ ଗିରଫ କରାଯାଇଛି।
ବିଭାଗର ସୂଚନା ଅନୁସାରେ, ଘରୋଇ ସବସିଡି LPG ସିଲିଣ୍ଡରକୁ ବେଆଇନ ଭାବେ ମହଜୁଦ ରଖି ଅଧିକ ଦାମରେ ବିକ୍ରି କରୁଥିବା ଚକ୍ର ବିରୋଧରେ ଏହି ସ୍ୱତନ୍ତ୍ର ଅଭିଯାନ ଜାରି ରହିବ। ପ୍ରକୃତ ଉପଭୋକ୍ତାଙ୍କ ସ୍ୱାର୍ଥ ସୁରକ୍ଷା ଓ ସବସିଡି ଗ୍ୟାସର ସ୍ୱଚ୍ଛ ବଣ୍ଟନ ନିଶ୍ଚିତ କରିବାକୁ କଡ଼ା ଆଇନଗତ ପଦକ୍ଷେପ ଜାରି ରହିବ ବୋଲି ବିଭାଗ ସ୍ପଷ୍ଟ କରିଛି।