କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀର ଆକ୍ରମଣରେ ଜଣେ ୫୬ ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳେ ମହାକାଳପଡ଼ା ବ୍ଲକ ଅଧୀନ ଖରିନାଶି ଗାଁରେ ଘଟିଥିବା ଏହି ଘଟଣା ପରେ ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଛି।
ମୃତକ ହେଲେ ହେମଲତା ଦାସ, ସ୍ୱର୍ଗତ ସମର ଦାସଙ୍କ ପତ୍ନୀ। ସୂଚନା ଅନୁଯାୟୀ, ସକାଳ ପ୍ରାୟ ୮ଟାରେ ହେମଲତା ଗାଁ ନିକଟସ୍ଥ ଚାଷଜମିକୁ ଯାଇଥିଲେ। ସେଠାରୁ ମହାନଦୀର ଶାଖା ନଦୀ ଗାଲିଆ ନଦୀ କୂଳକୁ ଯାଇଥିବା ବେଳେ ହଠାତ୍ ଏକ କୁମ୍ଭୀର ତାଙ୍କୁ ଆକ୍ରମଣ କରି ଗଭୀର ପାଣିକୁ ଟାଣି ନେଇଥିଲା।
ମହିଳା ନିଖୋଜ ହେବା ପରେ ଗ୍ରାମବାସୀମାନେ ଖୋଜାଖୋଜି ଆରମ୍ଭ କରିଥିଲେ। କିଛି ସମୟ ପରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ରାମନଗର ହସ୍ପିଟାଲକୁ ନିଆଯାଇଥିଲା। ପରେ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବାରମ୍ବାର କୁମ୍ଭୀର ଆକ୍ରମଣ ଘଟୁଥିବାରୁ ନଦୀ କୂଳବର୍ତ୍ତୀ ଗ୍ରାମଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ଓ ସଚେତନତା ବଢ଼ାଇବାକୁ ସ୍ଥାନୀୟମାନେ ଦାବି କରିଛନ୍ତି।