ସମ୍ବଲପୁର: ନୂଆଖାଇର ଶୁଭ ଅବସରରେ ସମ୍ବଲପୁରବାସୀଙ୍କୁ ବିକାଶର ବଡ଼ ଉପହାର ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ତାଙ୍କର ସମ୍ବଲପୁର ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ସରିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।
ସରକାରୀ କାର୍ଯ୍ୟସୂଚୀ ଅନୁସାରେ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ସକାଳ ୧୦ଟାରେ ହେଲିକପ୍ଟର ଯୋଗେ ଜମାଦାରପାଲି ଏୟାରଷ୍ଟ୍ରିପରେ ପହଞ୍ଚିବେ। ସେଠାରୁ ସଡ଼କ ପଥରେ ଯାଇ ପ୍ରଥମେ ନବନିର୍ମିତ ଡପ୍ଲର ରାଡାର କେନ୍ଦ୍ରର ଉଦ୍ଘାଟନ କରିବେ। ଏହି ରାଡାର କେନ୍ଦ୍ର ପଶ୍ଚିମ ଓଡ଼ିଶାରେ ପାଣିପାଗ ପୂର୍ବାନୁମାନ ଓ ବିପର୍ଯ୍ୟୟ ପରିଚାଳନାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।
ଏହାପରେ ସକାଳ ୧୦ଟା ୪୫ ମିନିଟରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସେ ଭର୍ଚୁଆଲ ମାଧ୍ୟମରେ ଅନେକ ଆଞ୍ଚଳିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ବିକାଶ ସହ ଜଡିତ ବିଭିନ୍ନ ପ୍ରକଳ୍ପକୁ ସବୁଜ ସଙ୍କେତ ମିଳିବ।
ସମ୍ବଲପୁରର କାର୍ଯ୍ୟକ୍ରମ ସାରିବା ପରେ ମୁଖ୍ୟମନ୍ତ୍ରୀ ପୁଣି ଜମାଦାରପାଲି ଏୟାରଷ୍ଟ୍ରିପକୁ ଫେରି କୁଚିଣ୍ଡା ଅଭିମୁଖେ ଯିବେ। ସେଠାରେ ପଞ୍ଚାୟତିରାଜ ମନ୍ତ୍ରୀ ତଥା କୁଚିଣ୍ଡା ବିଧାୟକ ରବି ନାରାୟଣ ନାୟକଙ୍କ ବାସଭବନକୁ ଯାଇ ପାରିବାରିକ ଶୋକସଭା ଓ ସ୍ମୃତିଚାରଣ କାର୍ଯ୍ୟକ୍ରମରେ ଯୋଗଦେବେ। ପରେ ସେ ଭୁବନେଶ୍ୱର ଫେରିବେ।
ନୂଆଖାଇ ଅବସରରେ ରାଜ୍ୟରେ ସରକାରୀ ଛୁଟି ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତକୁ ନେଇ ପ୍ରଶାସନ, ପୋଲିସ ଓ ସରକାରୀ କର୍ମଚାରୀମାନେ ଦିନସାରା ସକ୍ରିୟ ରହିବେ। ଏହି ଗସ୍ତରେ ଅନେକ ମନ୍ତ୍ରୀ, ସାଂସଦ ଓ ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ରହିବେ।