ଖୋର୍ଦ୍ଧା: ନିରାକାରପୁର ରେଳ ଷ୍ଟେସନରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ମା’ କୋଳରୁ ୪ ମାସର ଶିଶୁପୁତ୍ର ନିଖୋଜ ହୋଇଯାଇଥିବାରୁ ଷ୍ଟେସନ ପରିସରରେ ଆତଙ୍କ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ଥାନା କଳାମାଟିଆ ଗ୍ରାମର ପ୍ରଶାନ୍ତ ପ୍ରଧାନ ଓ ତାଙ୍କ ସ୍ତ୍ରୀ ଚିନୁଲତା ପରିଡା ତାଙ୍କ ୪ ମାସର ଶିଶୁପୁତ୍ର ସହ ତାମିଲନାଡୁ ଯିବାକୁ ବାହାରିଥିଲେ। ପ୍ରଥମେ ସେମାନେ କାଳୁପଡ଼ାଘାଟ ଷ୍ଟେସନକୁ ପହଞ୍ଚି, ସେଠାରୁ ଡିଏମୟୁ ଟ୍ରେନ୍ରେ ନିରାକାରପୁର ଷ୍ଟେସନକୁ ଆସିଥିଲେ। ରାତିରେ ତିନି ନମ୍ବର ପ୍ଲାଟଫର୍ମରେ ବିଶ୍ରାମ କରୁଥିବା ବେଳେ ଉଭୟ ପିତାମାତାଙ୍କୁ ନିଦ ଆସିଯାଇଥିଲା। ଏହାର ସୁଯୋଗ ନେଇ କୌଣସି ଦୁର୍ବୃତ୍ତ ମା’ କୋଳରୁ ଶିଶୁପୁତ୍ରକୁ ଉଠାଇ ନେଇଯାଇଥିବା ଅଭିଯୋଗ ହୋଇଛି।
ନିଦ ଭଙ୍ଗିବା ପରେ ଶିଶୁକୁ ନଦେଖି ଦମ୍ପତି ଆତଙ୍କିତ ହୋଇ ପ୍ଲାଟଫର୍ମ ଓ ଆସପାସ ଅଞ୍ଚଳରେ ଖୋଜାଖୋଜି କରିଥିଲେ। କିନ୍ତୁ ଶିଶୁପୁତ୍ରଙ୍କ ସନ୍ଧାନ ମିଳିନଥିଲା। ପରେ ସେମାନେ ନିରାକାରପୁର ଆରପିଏଫ ପୋଲିସର ସହାୟତା ଲୋଡ଼ିଥିଲେ। ତେବେ ଆରପିଏଫ ପକ୍ଷରୁ ସହଯୋଗ ମିଳିନଥିବା ସହ ଅସଭ୍ୟ ବ୍ୟବହାର ହୋଇଥିବା ଅଭିଯୋଗ ମଧ୍ୟ ଉଠିଛି।
ଘଟଣା ପ୍ରଚାର ପାଇବା ପରେ ରେଳବାଇ ଜିଆରପି ପୋଲିସରେ ଲିଖିତ ଅଭିଯୋଗ ହୋଇଥିବା ବେଳେ, ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଥିବା ବେଳେ, ଶିଶୁକୁ ଶୀଘ୍ର ଉଦ୍ଧାର କରିବାକୁ ପୋଲିସ ପକ୍ଷରୁ ଚେଷ୍ଟା ଜାରି ରହିଛି। ଏହି ଘଟଣା ପରେ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।
ଅଧିକ ପଢନ୍ତୁ: ନୟାଗଡ଼ ବାଣ ବିସ୍ପୋରଣ ମାମଲାରେ ଆଖିବୁଜିଲେ ଆଉ ଜଣେ ଗୁରୁତର; ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି