ଗଜପତି: ଗଞ୍ଜେଇ ଚାଲାଣକାରୀଙ୍କ ପାଇଁ ଏବେ ସୁରକ୍ଷିତ ମାର୍ଗ ହେଉଛି ଘଞ୍ଚ ଜଙ୍ଗଲ ଓ ପାହାଡ଼ିଆ ରାସ୍ତା । ଗଞ୍ଜେଇ ବିରୋଧୀ ଅଭିଯାନରେ ଗଜପତି ଜିଲ୍ଲା ପୋଲିସ ଏକ ବିଶାଳ ସଫଳତା ହାସଲ କରିଛି। ଅଡ଼ବା ଥାନା ଅନ୍ତର୍ଗତ କାରିଗେଜୁ ଗ୍ରାମରେ ଚଢ଼ାଉ କରି ପୋଲିସ ପ୍ରାୟ ୨.୮ ଟନ୍ ଗଞ୍ଜେଇ ଜବତ କରିଛି ।
ଗତକାଲି ଭୋର ସମୟରେ ଆର୍. ଉଦୟଗିରି ଏସଡିପିଓ ରାକେଶ ସାହୁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଅଡ଼ବା ଥାନା ଅନ୍ତର୍ଗତ କାରିଗେଜୁ ଗ୍ରାମ ନିକଟସ୍ଥ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ଏହି ସର୍ଚ୍ଚ ଅପରେସନ ଚଲାଇଥିଲା । ଏହି ସର୍ଚ୍ଚ ଅପରେସନ ସମୟରେ ଲୁଚାଇ ରଖାଯାଇଥିବା ମୋଟ ୧୧୩ଟି ପ୍ଲାଷ୍ଟିକ୍ ବ୍ୟାଗ ଜବତ କରାଯାଇଥିଲା। ଏହାକୁ ଖୋଲିବା ପରେ ପୋଲିସ ଟିମ୍ ତାଜୁବ ହୋଇଯାଇଥିଲା । ବ୍ୟାଗଗୁଡ଼ିକ ଭିତରକୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାୟନ କରିଥିବାବେଳେ, ସେମାନଙ୍କୁ ଚିହ୍ନଟ କରି ଶୀଘ୍ର ଗିରଫ କରିବା ପାଇଁ ତଦନ୍ତ ଜାରି ରହିଛି।
ଏହି ସଂକ୍ରାନ୍ତରେ ଅଡ଼ବା ଥାନାରେ କେସ୍ ନମ୍ବର ୭୦ ପଞ୍ଜିକୃତ କରାଯାଇ ଏନ୍ଡିପିଏସ୍ ଆଇନର ଧାରା ୨୦(ବି)(ii)(C)ଅନୁସାରେ ମାମଲା ରୁଜୁ ହୋଇଛି।
ସୂଚନାଯୋଗ୍ୟ ଯେ, ଅଡବା ଓ଼ ଆର ଉଦୟଗିରି ଥାନା ଅଞ୍ଚଳରେ ଗତ ୧୮ ନଭେମ୍ବର ୨୦୨୫ ରିଖଠାରୁ ୦୬ ଏପ୍ରିଲ ୨୦୨୬ ରିଖ ମଧ୍ୟରେ ପୋଲିସ ନିଶା କାରବାର ବିରୋଧରେ ବ୍ୟାପକ ସଫଳତା ହାସଲ କରିଛି। ଏହି ସମୟ ମଧ୍ୟରେ ଅଡ଼ବା ଥାନା ଅଞ୍ଚଳରେ ୧୧ଟି ମାମଲା ରୁଜୁ କରାଯାଇ ମୋଟ ୯,୬୭୬ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଆର୍. ଉଦୟଗିରି ଥାନା ଅଞ୍ଚଳରେ ୪ଟି ମାମଲାରେ ୨,୮୨୫ କେଜିରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି । ସର୍ବମୋଟ ୧୫ଟି ମାମଲାରେ ଜିଲ୍ଲା ପୋଲିସ ପ୍ରାୟ ୧୨.୫୦୧ ଟନ୍ ବେଆଇନ ଗଞ୍ଜେଇ ଜବତ କରାଯାଇଛି । ବିଶେଷକରି କେଶରୀଗୁଡ଼ା ଅଞ୍ଚଳରୁ ୪,୦୪୦ କେଜି, ବୁରିପଦର ଅଞ୍ଚଳରୁ ୧୮୩୦ କେଜି ଏବଂ କାରିଗେଜୁ ଜଙ୍ଗଲରୁ ୨,୮୧୧ କେଜି ଭଳି ବିପୁଳ ପରିମାଣର ଗଞ୍ଜେଇ ଉଦ୍ଧାର କରାଯାଇ ନିଶା ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।