ରାଉରକେଲା: ଯୁଦ୍ଧ ପରିସ୍ଥିତିକୁ ନେଇ ସାରା ବିଶ୍ୱରେ ସଙ୍କଟ ଦେଖାଦେଉଥିବା ବେଳେ ରାଉରକେଲାରୁ ଆସିଛି ଗ୍ୟାସ୍ କଳାବଜାରୀ ଘଟଣା। ସେକ୍ଟର-୯ ଅଞ୍ଚଳରେ ହୋଇଥିବା ଏକ ଅଚମ୍କା ରେଡ୍ରେ ଗ୍ୟାରେଜ୍ ଭିତରୁ ୧୬୦ରୁ ଅଧିକ ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି। ଏଥିରେ ଘରୋଇ ଓ କମର୍ସିଆଲ୍ ଦୁଇ ପ୍ରକାର ସିଲିଣ୍ଡର ଥିବା ଜଣାପଡିଛି।
ରାଉରକେଲା ମହାନଗର ନିଗମ, ପୋଲିସ ଓ ତହସିଲ ପ୍ରଶାସନଙ୍କ ଯୁକ୍ତ ଚଢ଼ାଉରେ ଏହି ବଡ଼ ଖୁଲାସା ହୋଇଛି। ଅଧିକାରୀମାନେ ଗୁପ୍ତ ସୂଚନା ପାଇ ଗ୍ୟାରେଜ୍ରେ ଚଢ଼ାଉ କରିଥିଲେ, ତେବେ ଚଢ଼ାଉ ବେଳେ ବହୁ ପରିମାଣର ସିଲିଣ୍ଡର ମହଜୁଦ ରହିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ।
ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ରେଡ୍ ସମୟରେ ଗ୍ୟାରେଜ୍ ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବର୍ତ୍ତମାନ ପୋଲିସ ତାଙ୍କୁ ଖୋଜିବାରେ ଲାଗିଛି। ଏତେ ବଡ଼ ପରିମାଣର ସିଲିଣ୍ଡର କାହିଁକି ଏବଂ କେମିତି ଗଚ୍ଛିତ ରଖାଯାଇଥିଲା, ତାହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ପ୍ରାଥମିକ ତଦନ୍ତରୁ ଏହା କଳାବଜାରୀ ସହ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।
ଅନ୍ୟପଟେ, ରାଜ୍ୟରେ ଗ୍ୟାସ୍ ସିଲିଣ୍ଡର ନେଇ କୃତ୍ରିମ ଅଭାବ ସୃଷ୍ଟି କରି ଅଧିକ ଦରରେ ବିକ୍ରି କରୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ପରେ ଯୋଗାଣ ବିଭାଗ ସମଗ୍ର ରାଜ୍ୟରେ ଚଢ଼ାଉ ଜୋରଦାର କରିଛି।
କିଛି ଦିନ ପୂର୍ବରୁ ଅନୁଗୋଳ ଓ ଗଞ୍ଜାମ ଜିଲ୍ଲାରୁ ମୋଟ ୮୯ଟି ସିଲିଣ୍ଡର ଜବତ ହୋଇଥିବା ବେଳେ ଏବେ ରାଉରକେଲା ଘଟଣା ପୁଣିଥରେ କଳାବଜାରୀ ଚିତ୍ର ସାମ୍ନାକୁ ଆଣିଛି। ଆଗାମୀ ଦିନରେ ଏନେଇ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଶା କରାଯାଉଛି।
ଅଧିକ ପଢନ୍ତୁ: ଗ୍ୟାସ କଳାବଜାରି ରୋକିବାକୁ ସରକାରଙ୍କ ବଡ଼ ନିଷ୍ପତ୍ତି; ଏଣିକି ୫ କେଜି ସିଲିଣ୍ଡରରେ ଗ୍ୟାସ ଭର୍ତ୍ତି ବନ୍ଦ