ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଖଣି ବିରୋଧୀ ଆନ୍ଦୋଳନରେ ରକ୍ତପାତ ହୋଇଛି । ଆନ୍ଦୋଳନକାରୀଙ୍କ ଆକ୍ରମଣରେ ୩୦ରୁ ଅଧିକ ପୋଲିସ ଅଧିକାରୀ ଏବଂ କର୍ମୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅଛନ୍ତି ରାୟଗଡା ଏସଡିପିଓ ଗୌରୀଶଙ୍କର ସାହୁ, କାଶୀପୁର ଆଇଆଇସି ଦେବ ମଲ୍ଲିକ ସମେତ ୩୦ରୁ ଉର୍ଦ୍ଧ୍ୱ କନେଷ୍ଟବଳ । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
କାଶୀପୁର ବ୍ଲକ ଶାଗବରୀ ଗ୍ରାମରେ ବେଦାନ୍ତ କମ୍ପାନୀର ରାସ୍ତା ନିର୍ମାଣକୁ ପ୍ରବଳ ବିରୋଧ କରାଯାଇଛି । ସିଜିମାଳିରେ ଖଣି ଖନନ ପାଇଁ ସରକାର ବେଦାନ୍ତ କମ୍ପାନୀକୁ ଅନୁମତି ପ୍ରଦାନ କରିଛନ୍ତି । ବେଦାନ୍ତ ଆଲୁମିନା କମ୍ପାନୀ ଶାଗୁବାରୀରୁ ସିଜିମାଳି ଅଞ୍ଚଳ ଯାଏଁ ରାସ୍ତା ନିର୍ମାଣ କାମ ଆରମ୍ଭ କରିଛି । ରାସ୍ତା କାମକୁ ଗ୍ରାମବାସୀ ବିରୋଧ କରୁଥିବାବେଳେ ପୋଲିସ ସେମାନଙ୍କୁ ଅଟକାଉ ବୁଝାସୁଝା କରୁଥିଲା । ଏହି ସମୟରେ ବିକ୍ଷୋଭକାରୀ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ଫଳରେ ଏସଡିପିଓ, ୨ ଜଣ ଆଇଆଇସିଙ୍କ ସମେତ ୩୦ ଜଣ ଆହତ ହୋଇଛନ୍ତି । କାହାର ମୁଣ୍ଡରେ ଗଭୀର ଆଘାତ ଲାଗିଛି ତ ଆଉ କିଏ ତଳେ ପଡ଼ି ଛଟପଟ ହୋଇଥିଲା । ସମସ୍ତଙ୍କୁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣା ସ୍ଥଳରେ ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକାର୍ଣ୍ଣି , ଏସପି ସ୍ଵାତି ଏସ୍ କୁମାରଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଁଚିଛନ୍ତି । ଶାଗୁବାରୀ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୧୬୩ଧାରା ଜାରି କରାଯାଇଛି।