ବାଲେଶ୍ୱର/ମୟୁରଭଞ୍ଜ/ଭଦ୍ରକ: ସାବାଡ୍ ହେବେ ଗୋରୁ ମାଫିଆ । ପୂର୍ବାଞ୍ଚଳର ତିନୋଟି ଜିଲ୍ଲାରେ ବଡ଼ ଧରଣର ଚଢ଼ଉ ହୋଇଛି । ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ରଙ୍କ ନେତୃତ୍ୱରେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲାରେ ମୋଟ ୩୬ଟି ସ୍ଥାନରେ ଚଢ଼ଉ କରାଯାଉଛି । ମୟୁରଭଞ୍ଜରେ ସର୍ବାଧିକ ୧୫ଟି ସ୍ଥାନରେ ପୋଲିସ ଛାପା ମାରିଥିବାବେଳେ ବାଲେଶ୍ୱର ୧୫ଟି ଏବଂ ଭଦ୍ରକଟି ସ୍ଥାନରେ କୁଖ୍ୟାତ ଗୋ-ମାଫିଆଙ୍କ ଘରେ ପୋଲିସ ଟିମ୍ ଯାଞ୍ଚ କରୁଛି । ଚଢ଼ଉ ବେଳେ ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ନଗଦ ରାଶି ସହ ମାରଣାସ୍ତ୍ର ଏବଂ ଚାରି ଚକିଆ ଯାନ ଜବତ କରାଯାଇଛି ।
ମୟୂରଭଞ୍ଜ ଜିଲ୍ଲାରେ ଜିଲ୍ଲାର ୭ଟି ଥାନା ଅନ୍ତର୍ଗତ ୧୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି । ଏହି ଅପରେସନରେ ବିପୁଳ ପରିମାଣର ନଗଦ ଟଙ୍କା, ସୁନା ଗହଣା,କାଗଜପତ୍ର ଏବଂ ବହୁ ଦାମୀ ଗାଡ଼ି ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି। ଏସପି ବରୁଣ ଗୁଣ୍ଟୁପାଲିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ସକାଳୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ ଜାରି ରହିଛି। ବୈଶିଙ୍ଗାର ୪ଟି ସ୍ଥାନ, ରାଇରଙ୍ଗପୁରର ୩ଟି, ଝାରପୋଖରିଆ ୩ଟି, ବାରିପଦା ୩ଟି, ଶୁଳିଆପଦା ଓ ବାଙ୍ଗରିପୋଷୀ ଗୋଟିଏ ଲେଖାଏଁ ସ୍ଥାନରେ ଚଢ଼ଉ କରାଯାଉଛି । ଏହି ଚଢ଼ଉକୁ ସଫଳ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଏଥିରେ ୪ ଜଣ ଅତିରିକ୍ତ ଏସପି, ୩ ଜଣ ଏସଡିପିଓ, ୧୫ ଜଣ ପୋଲିସ ଅଧିକାରୀ ଏବଂ ୬ ପ୍ଲାଟୁନ ଫୋର୍ସ ସାମିଲ ହୋଇଛନ୍ତି । ଝାରପୋଖରିଆ ଅଞ୍ଚଳରୁ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଗକୁ ଗିରଫ ସଂଖ୍ୟା ଓ ଜବତ ପରିମାଣ ବଢ଼ିବାର ସମ୍ଭାବନା ରହିଛି।
ରାଇରଙ୍ଗପୁର ଥାନା ଅନ୍ତର୍ଗତ ଦେଓଗାଁ ଓ ସାତପଉଟିଆ ଅଞ୍ଚଳରୁ ପୋଲିସ ନଗଦ ୧୧ ଲକ୍ଷ ଟଙ୍କା,୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଗହଣା, ୫ଟି ଚାରିଚକିଆ ଓ ୪ଟି ବାଇକ୍ (୨ ଚକିଆ),ଏହା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ହସ୍ତଗତ ହୋଇଛି ।ଏସପି ବରୁଣ ଗୁଣ୍ଟୁପାଲି କହିଛନ୍ତି ଯେ, ଗୋ-ଚାଲାଣ ରୋକିବା ପାଇଁ ପୋଲିସର ଏହି ଅଭିଯାନ ଜାରି ରହିବ ଏବଂ ଏହି ଚଢ଼ାଉରୁ ମାଫିଆଙ୍କ ଗୁପ୍ତ ନେଟୱର୍କ ବାବଦରେ ଅନେକ ନୂଆ ତଥ୍ୟ ମିଳିପାରିବ। ସେପଟେ ପୋଲିସର ଏହି ଆଭିମୁଖ୍ୟକୁ ସ୍ଥାନୀୟ ବାସିନ୍ଦା ସ୍ୱାଗତ କରିଛନ୍ତି। ନିର୍ଭୟରେ ଚାଲିଥିବା ଗୋ-ଚାଲାଣ ଉପରେ ଏବେ ଅଙ୍କୁଶ ଲାଗିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।
ସେହିପରି ଭଦ୍ରକରେ ମଧ୍ୟ ପୋଲିସର ସମାନ ଆକ୍ସନ୍ ଦେଖିବାକୁ ମିଳିଛି । ଏହି ଚଢାଉରେ ପୋଲିସକୁ ୨୦ ଲକ୍ଷ ଟଙ୍କା, ସୁନାଗହଣା, ଖଣ୍ଡା ଓ ବନ୍ଧୁକ ଭଳି ମାରଣାସ୍ତ୍ର ଜବତ କରାଯାଇଛି । ପୁରୁଣା ବଜାର ଓ ଗୁଜି ଦରଡା ଅଞ୍ଚଳରେ ଚଢାଉ କରୁଛି ପୋଲିସ। ବେଆଇନ ଗୋ ଚାଲାଣ ନେଇ ଏହି ଚଢ଼ଉ କରୁଛି ପୋଲିସ । ସେହିପରି ଘର୍ ଭିତରେ ସିକ୍ରେଟ ଚାମ୍ବର ଠାବ ହୋଇଥିବା ବେଳେ ୫ ଗୋ ମାଫିଆଙ୍କୁ ଅଟକ ରଖିଛି ପୋଲିସ। କିଛି ସମୟ ପରେ ସମ୍ପୂର୍ଣ୍ଣ ଜବତ ଟଙ୍କା ଓ ସମ୍ପତ୍ତିର ସୂଚନା ଦେବ ପୋଲିସ । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆବଶ୍ୟକ ପଡିଲେ ଅଧିକ ପୋଲିସ ଫୋର୍ସ ମଗାଯିବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ବାଲେଶ୍ୱର ଜିଲ୍ଲାର ସୋର, ବାହାନଗା, ଜଳେଶ୍ୱର ସମେତ ୧୫ଟି ସ୍ଥାନରେ ପୋଲିସ ପଶିଛି ।