ନୂଆଦିଲ୍ଲୀ: ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ରୋକିବା ଏବଂ ହର୍ମୁଜ ପ୍ରଣାଳି ଖୋଲିବାର ସଙ୍କେତ ମିଳିଛି । ରୟଟର୍ସର ରିପୋର୍ଟ ମୁତାବକ ମଧ୍ୟସ୍ଥତା କରୁଥିବା ଦେଶମାନେ ଇରାନ ଓ ଆମେରିକା ଦୁଇ ଦେଶକୁ ଟୁ ଷ୍ଟେପ ପିସ୍ ପ୍ଲାନ ଦେଇଛନ୍ତି । ରିପୋର୍ଟ ମୁତାବକ ଏହି ଯୋଜନା ପାକିସ୍ତାନ ପ୍ରସ୍ତୁତ କରିଛି । ତେବେ ଏହା ଉପରେ କେତେ ବିଶ୍ୱାସ କରାଯାଇପାରେ ଏହା କହିବା ବଡ ମୁସ୍କିଲ । ଇରାନ କେବେ ବି ପାକିସ୍ତାନର ମଧ୍ୟସ୍ଥତା କଥା ସ୍ପଷ୍ଟ ଭାବେ ସ୍ୱୀକାର କରି ନ ଥିଲା ।
ରୟଟର୍ସର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ତେହରାନ ଓ ଆମେରିକା ଉଭୟକୁ ଦୁଇଟି ପର୍ଯ୍ୟାୟର ଯୋଜନା ପ୍ରଦାନ କରିଛି । ପାକିସ୍ତାନ ମଧ୍ୟ ଅନେକ ଥର ଦାବି କରି ସାରିଛି ଯେ, ତାଙ୍କ ଦେଶ ଇରାନ ଓ ଆମେରିକା ମଧ୍ୟରେ ମଧ୍ୟସ୍ଥତା କରୁଛି । ହେଲେ ଇରାନ ସୋମବାର ଅର୍ଥାତ ଆଜି ଯୁଦ୍ଧରେ ପାକିସ୍ତାନର କୌଣସି ଭୂମିକା ନ ଥିବା କହିଛି । ଇରାନ ମଧ୍ୟ ଖାରଜ କରିଛି ଯେ, ଆମେରିକା ସହ କୌଣସି ପ୍ରକାରର ଆଲୋଚନା ଚାଲିଛି । ଅନ୍ୟପଟେ ଟ୍ରମ୍ପଙ୍କ କହିବା କଥା ଇରାନ ସହ ଯଥାଶୀଘ୍ର ଏକ ବୁଝାମଣା ହୋଇପାରେ । ଯଦି ଏମିତି ନ ହୁଏ ଆମେରିକା ଇରାନକୁ ସଂପୂର୍ଣ୍ଣ ରୂପେ ଧ୍ୱଂସ କରି ଦେବ ।
ପ୍ରଥମ ପର୍ଯ୍ୟାୟରେ ୪୫ ଦିନର ଅସ୍ତ୍ରବିରତି
ଦୁଇ ପର୍ଯ୍ୟାପ୍ତ ଶାନ୍ତି ଯୋଜନା ଆଧାରରେ ପ୍ରଥମ ପର୍ଯ୍ୟାୟରେ ୪୫ ଦିନର ଅସ୍ତ୍ରବିରତି ଉପରେ ଆଲୋଚନା ଚାଲିଥିବା ରୟଟର୍ସ କହିଛି । ଏକ ଅଧିକାରୀଙ୍କ ସୂତ୍ରରୁ ଜଣା ପଡିଛି ଯେ, ଟ୍ରମ୍ପ ପ୍ରଶାସନ ନିକଟରେ ଇରାନ ସାମ୍ନାରେ ଅନେକ ପ୍ରସ୍ତାବ ରଖିଥିଲେ । ହେଲେ ଇରାନ ଏ ପର୍ଯ୍ୟନ୍ତ କୌଣସି ଆମେରିକୀୟ ଅଧିକାରୀଙ୍କ ସହ ଆଲୋଚନା ଖବରକୁ ଖାରଜ କରି ଦେଇଛି ।
ଯଦି ଦୁଇ ପକ୍ଷ ରାଜି ହୁଅନ୍ତି କିମ୍ବା ଅଧିକ ସମୟ ଆବଶ୍ୟକ ପଡେ ତେବେ ଅସ୍ତ୍ରବିରତିର ଅବଧି ବଢାଯାଇପାରେ । ଏହା ପରେ ଦ୍ୱିତୀୟ ପର୍ଯ୍ୟାୟରେ ଯୁଦ୍ଧକୁ ସମାପ୍ତ କରିବା ପାଇଁ ଏକ ବୁଝାମଣାକୁ ଅନ୍ତିମ ରୂପ ଦିଆଯାଇପାରେ । ଯୁଦ୍ଧବିତତିର ଏହି ଆଲୋଚନା ମଧ୍ୟରେ ଆମେରିକା ଓ ଇସ୍ରାଏଲର ହମଲାରେ ତେହରାନରେ ଅତି କମରେ ୬ ଜଣ ପିଲାଙ୍କ ମୃତ୍ୟୁ ଘଟିଛି ।