କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରୁ ଅପହରଣ ହୋଇଥିବା ଛାତ୍ରୀଙ୍କୁ କଟକରୁ ଉଦ୍ଧାର କରାଯାଇଛି। ଆଜି କୋଚିଂ କ୍ଲାସ ସାରି ଘରକୁ ଫେରୁଥିବା ବେଳେ ଜଣେ କଲେଜ ଛାତ୍ରୀଙ୍କୁ କାରରେ ଦୁର୍ବୃତ୍ତମାନେ ବଳପୂର୍ବକ ଅପହରଣ କରି ନେଇଥିଲେ। ତେବେ ପୋଲିସର ତ୍ୱରିତ ପଦକ୍ଷେପ ଫଳରେ ଛାତ୍ରୀଙ୍କୁ ସୁରକ୍ଷିତ ଭାବେ କଟକରୁ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଳକ ପାଟକୁରା ଥାନା ଅନ୍ତର୍ଗତ ଯମୁନାବାଦ ଗଡ ଅଞ୍ଚଳର ଏହି ଛାତ୍ରୀ ଆଜି କୋଚିଂ କ୍ଲାସ ସାରି ଘରକୁ ଫେରୁଥିଲେ। ପୂର୍ବାହ୍ନ ସମୟରେ ସ୍ଥାନୀୟ କଲେଜରୁ ପାଠ ପଢି ଦୁଇ ଯୁବତୀ ଫେରୁଥିବା ବେଳେ ଏହି ସମୟରେ ଏକ କାରରେ ଆସିଥିବା ତିନି ଜଣ ଯୁବକ ତାଙ୍କୁ ବଳପୂର୍ବକ ଉଠାଇ ନେଇଥିଲେ। ଦୁଇ ଯୁବତୀ ଦୁଇଟି ସାଇକେଲ ଯୋଗେ ଘରକୁ ଫେରୁଥବା ବେଳେ ଅପହରଣକାରୀ ସେମାନଙ୍କୁ ବନ୍ଧ ଗଡା ନିକଟରେ ଅଟକାଇ ଥିଲେ ପରେ ଜଣଙ୍କୁ କାରରେ ବସାଇ ଫେରାର ହୋଇ ଯାଇଥିଲେ। ଯୁବତୀ ଜଣଙ୍କ ଯୁକ୍ତ ଦୁଇ କଳା ଶେଷ ବର୍ଷରେ ପଢ଼ନ୍ତି ବୋଲି ଜଣାପଡ଼ିଛି।
ଖବର ପାଇ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳର ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଗାଡ଼ିଟିଙ୍କୁ ପିଛା କରିଥିଲା। ଶେଷରେ କଟକର କନ୍ଦରପୁର ନିକଟରେ ଗାଡ଼ିଟିକୁ ଠାବ କରିବାରେ ପୋଲିସ ସଫଳ ହୋଇଥିଲା।
ପୋଲିସ କାର ଡ୍ରାଇଭର ସହ ଜଣେ ଅପହରଣକାରୀକୁ ଧରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଉଦ୍ଧାର ପରେ ଛାତ୍ରୀଙ୍କୁ ସୁରକ୍ଷିତ ଭାବେ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ଏପର୍ଯ୍ୟନ୍ତ ଅପହରଣର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ, ଅଭିଯୁକ୍ତମାନେ ଓ ଛାତ୍ରୀ ଏକେ ଗାଁର ବୋଲି ପ୍ରାଥମିକ ତଥ୍ୟ ମିଳିଛି।