ଭୁବନେଶ୍ୱର: ରାଜ୍ୟର ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ୧୪ଟି ବିଶ୍ୱବିଦ୍ୟାଳୟ ପାଇଁ ନୂତନ କୁଳପତିଙ୍କ ନିଯୁକ୍ତି କରାଯାଇଛି। ସରକାରଙ୍କ ଏହି ନିଷ୍ପତି ଆଗାମୀ ଦିନରେ ଶିକ୍ଷାର ଗୁଣଗତ ଉନ୍ନତି ହେବ ବୋଲି ଆଶା କରାଯାଉଛି।ଭୁବନେଶ୍ୱରର ଲୋକଭବନସ୍ଥିତ କୁଳପତିଙ୍କ କାର୍ଯ୍ୟାଳୟରୁ ଜାରି ଏକ ସରକାରୀ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ, ୧୯୮୯ର ଧାରା ୬ର ଉପ-ଧାରା (୧) ଅନୁଯାୟୀ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି ରାଜ୍ୟପାଳଙ୍କ ଦ୍ୱାରା ଏହି ନିଯୁକ୍ତି ଦିଆଯାଇଛି।
ନୂତନ ନିଯୁକ୍ତି ଅନୁସାରେ, ପ୍ରଫେସର ଚଣ୍ଡୀପ୍ରସାଦ ନନ୍ଦ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ନେବେ। ସେହିପରି ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର ରେଭେନ୍ସା ବିଶ୍ୱବିଦ୍ୟାଳୟ, ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଓ ପ୍ରଫେସର ସଞ୍ଜୟ କୁମାର ପାତ୍ର ଧରଣୀଧର ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ପ୍ରଫେସର ବ୍ୟୋମକେଶ ତ୍ରିପାଠୀ, ଖଲ୍ଲିକୋଟ ୟୁନିଟାରୀ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅସୀମା ସାହୁ ଓ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ପ୍ରଫେସର ପବନ କୁମାର ଅଗ୍ରୱାଲ ନୂତନ କୁଳପତି ଭାବେ ଦାୟିତ୍ୱ ନେବେ।
ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଶିବରାମ ତ୍ରିପାଠୀ, MSCBD ବିଶ୍ୱବିଦ୍ୟାଳୟରେ ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ପ୍ରଫେସର ବିଭୂତି ଭୂଷଣ ମଲିକ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପ୍ରଫେସର ଜ୍ୟୋସ୍ନା କେବି ରାଉତଙ୍କୁ ନିଯୁକ୍ତ କରାଯାଇଛି। ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ପ୍ରଫେସର ପ୍ରଭାତ କୁମାର ମହାପାତ୍ର, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଫେସର ହୃଷିକେଶ ସେନାପତି ଓ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି।
ଏହି ସମସ୍ତ ନୂଆ କୁଳପତିଙ୍କ ନିଯୁକ୍ତି ସହ ଶିକ୍ଷା ବ୍ୟବସ୍ଥାରେ ନୂତନ ଦୃଷ୍ଟିକୋଣ ଓ ପ୍ରଶାସନିକ ସୁଧାର ଆସିବ ବୋଲି ଆଶା କରାଯାଉଛି। ଛାତ୍ରଛାତ୍ରୀଙ୍କ ପାଇଁ ଆହୁରି ଭଲ ପରିବେଶ ଓ ଗୁଣତ୍ତମ ଶିକ୍ଷା ଦେବାରେ ଏହା ଏକ ନୂଆ ପଦକ୍ଷେପ ଭାବେ ଦେଖାଯାଉଛି। ରାଜ୍ୟପାଳ ନବନିଯୁକ୍ତ ଉପ-ଚାନ୍ସେଲରମାନଙ୍କୁ ଶୁଭକାମନା ଜଣାଇ କହିଛନ୍ତି ସେମାନେ ରାଜ୍ୟରେ ଉଚ୍ଚଶିକ୍ଷାର ଭବିଷ୍ୟତ ଗଠନର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବେ।
ଅଧିକ ପଢନ୍ତୁ: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଘୋଷଣା, ବିଶ୍ୱବିଦ୍ୟାଳୟରେ ପୂରଣ ହେବ ୧୪୦୦ ପଦବୀ