ଭୁବନେଶ୍ୱର: ଦୀର୍ଘ ଆଠ ଘଣ୍ଟା ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ ହୋଇଛି । ରୁପା ଘୋଡ଼ଣୀ ଉଠାଇବାକୁ ନେଇ ବ୍ରାହ୍ମଣ ନିଯୋଗ ଏବଂ ବଡ଼ୁ ନିଯୋଗଙ୍କ ମଧ୍ୟରେ ବିବାଦ ଯୋଗୁଁ ନୀତିକାନ୍ତି ବନ୍ଦ ରହିଥିଲା ।
ମହାପ୍ରଭୁ ଲିଙ୍ଗରାଜଙ୍କ ଗର୍ଭଗୃହ ଭିତରେ ରୂପା ଘୋଡ଼ଣୀକୁ କେନ୍ଦ୍ର କରି ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ବିବାଦ ହୋଇଥିଲା । ବ୍ରାହ୍ମଣ ନିଯୋଗ ରୁପା ଘୋଡ଼ଣୀକୁ ବାହାର କରି ନେବାରୁ ବଡ଼ୁ ନିଯୋଗ ବିରୋଧ କରିଥିଲା । ଏହା ପରେ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇ ଗର୍ଭଗୃହ ନୀତିକାନ୍ତି ବନ୍ଦ ରହିଥିଲା । ଏହା ପରେ ଲିଙ୍ଗରାଜ ମନ୍ଦିରର କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ପ୍ରାୟ ଏକ ଘଣ୍ଟା ଧରି ବୈଠକ ବସିଥିଲା । ସେହି ସମୟରେ ମଧ୍ୟ ଉଭୟ ପକ୍ଷ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏମିତିକି ଧସ୍ତାଧସ୍ତି ହେବା ସହିତ ରକ୍ତପାତ ମଧ୍ୟ ହୋଇଛି । ତେବେ ବୈଠକରେ ବିବାଦର ସମାଧାନ ହୋଇ ନାତିକାନ୍ତି ଆରମ୍ଭ ହୋଇଥିଲା । ଆସନ୍ତା ୨୦ ତାରିଖରେ ଟ୍ରଷ୍ଟ ବୋର୍ଡ ବୈଠକରେ ଏହି ସ୍ୱତନ୍ତ୍ର ନୀତିକାନ୍ତି କିଏ କରିବ ତାହା ଉପରେ ଆଲୋଚନା ହେବ । ଜଣେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ତଦନ୍ତ କରିବେ ।
ସେପଟେ ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି । ବ୍ରାହ୍ମଣ ନିଯୋଗ ପକ୍ଷରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ସେ କହିଛନ୍ତି । ଏହା ବଡ଼ୁ ନିଯୋଗର ନୀତି ହୋଇଥିବାବେଳେ ବ୍ରାହ୍ମଣ ନିଯୋଗ ଜୋର ଜବରଦସ୍ତି କରୁଛନ୍ତି । ଉଭୟ ପକ୍ଷରୁ ଥାନାରେ ମୌଖିକ ଅଭିଯୋଗ କରାଯାଇଛି ।