ଭୁବନେଶ୍ୱରର ପ୍ରସିଦ୍ଧ ଶୈବ ପୀଠ ଲିଙ୍ଗରାଜ ମନ୍ଦିରରେ ପୁଣିଥରେ ନୀତିକାନ୍ତି ବନ୍ଦ ହେବା ଘଟଣା ଭକ୍ତମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି। ଆଜି (ସୋମବାର) ସକାଳ ପ୍ରାୟ ୯ଟାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦୈନିକ ନୀତି ବନ୍ଦ ରହିଥିବା ସୂଚନା ମିଳିଛି। ଏହାର ପ୍ରମୁଖ କାରଣ ଗର୍ଭଗୃହ ଭିତରେ ରୂପା ଘୋଡ଼ଣୀକୁ କେନ୍ଦ୍ର କରି ବଡୁ ନିଯୋଗ ଓ ସୁଆର ନିଯୋଗ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି।
ଖବର ଅନୁସାରେ, ସକାଳୁ ନୀତି ଆରମ୍ଭ ସମୟରେ ହଠାତ୍ ଦୁଇ ନିଯୋଗ ମଧ୍ୟରେ କଥାକଟାକାଟି ଆରମ୍ଭ ହୋଇଥିଲା। କିଛି ସମୟ ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇ ମାରପିଟ ପର୍ଯ୍ୟନ୍ତ ପହଞ୍ଚିଥିବା କୁହାଯାଉଛି। ଏହି ଅପ୍ରତ୍ୟାଶିତ ଘଟଣା ଫଳରେ ଗର୍ଭଗୃହରେ ନୀତିକାନ୍ତି ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି।
ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁ ସୁଆର ନିଯୋଗ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତାଙ୍କ କହିବାନୁସାରେ, ସୁଆର ନିଯୋଗ ପକ୍ଷରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି। ମହାପ୍ରଭୁଙ୍କ ରୁପା ଘୋଡ଼ଣିକୁ ସୁଆର ନିଯୋଗର ସେବାୟତମାନେ ଚୋରି କରି ନେଇଯାଉଥିବା ବେଳେ ବଡ଼ୁ ନିଯୋଗ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ଏହି ବିବାଦ ସମ୍ପର୍କରେ ଲିଙ୍ଗରାଜ ମନ୍ଦିର ପ୍ରଶାସନକୁ ତୁରନ୍ତ ଅବଗତ କରାଯାଇଛି। କମଳାକାନ୍ତ ବଡ଼ୁ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ନୀତିକାନ୍ତି ସ୍ୱାଭାବିକ କରିବା ପାଇଁ ପ୍ରଶାସନ ପକ୍ଷରୁ ଆଲୋଚନା ଜାରି ରହିଛି।
ଉଭୟ ପକ୍ଷ ଏହି ବିବାଦକୁ ନେଇ ଲିଙ୍ଗରାଜ ମନ୍ଦିର ପ୍ରଶାସନଙ୍କୁ ଜଣାଇଥିବା ସହ ଥାନାରେ ମୌଖିକ ଅଭିଯୋଗ ମଧ୍ୟ କରିଛନ୍ତି। ତେବେ ଘଟଣା ପରେ ମନ୍ଦିର ପରିସରରେ ଅଚଳାବସ୍ଥା ଜାରି ରହିଛି ଏବଂ ଭକ୍ତମାନେ ଦର୍ଶନ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଏପରି ଘଟଣା ଲିଙ୍ଗରାଜ ମନ୍ଦିରରେ ନୂଆ ନୁହେଁ। ପୂର୍ବରୁ ମଧ୍ୟ ବିଭିନ୍ନ କାରଣକୁ ନେଇ ସେବାୟତମାନଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା, ଯାହାର ପ୍ରଭାବ ମହାପ୍ରଭୁଙ୍କ ନୀତିକାନ୍ତି ଉପରେ ପଡ଼ିଥିଲା।
ଅଧିକ ପଢନ୍ତୁ: ଲିଙ୍ଗରାଜ ମନ୍ଦିରରେ ବିଭ୍ରାଟ, ନୀତିକାନ୍ତି ବନ୍ଦ; ଉପାସରେ ପ୍ରଭୁ ଲିଙ୍ଗରାଜ