ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ କାରଖାନାକୁ ସିଲ୍ କଲା ପ୍ରଶାସନ। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଉପଜିଲ୍ଲାପାଳ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ କାରଖାନାରେ ପହଁଚି ବନ୍ଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି । କାରଖାନା ପରିସରରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଶ୍ୟାମ ମେଟାଲିକ୍ସ କାରଖାନା ବିରୋଧରେ ବାୟୁ ଓ ଜଳ ଦୂଷିତ କରୁଥିବାର ଅଭିଯୋଗ ଆସିଥିଲା। ଅତ୍ୟଧିକ ପରିବେଶ ପ୍ରଦୂଷଣ ସୃଷ୍ଟିକାରୀ ଶିଳ୍ପ କ୍ୟାଟାଗୋରୀ ୧୭ ବର୍ଗରେ ଆସୁଥିବା ଜଣାପଡ଼ିଥିଲା । ୨୦୨୪ ଅଗଷ୍ଟ ପହିଲାରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାରଖାନାକୁ ପରିଦର୍ଶନ କରି ବାୟୁ ଓ ଜଳର ଗୁଣବତ୍ତାକୁ ପ୍ରଭାବିତ କରୁଛି ବୋଲି ବୋର୍ଡ ରିପୋର୍ଟ ଦେଇଥିଲେ । ମେ ୨୭, ୨୦୨୫ ନନ୍ କମ୍ପ୍ଲାୟନ୍ସ ଜାରି କରିଥଲେ । ଇଣ୍ଟିଗ୍ରେଟେଡ୍ ଆୟରନ୍ ଏଣ୍ଡ ଷ୍ଟିଲ୍ ପ୍ଲାଣ୍ଟ ଏବଂ ସ୍ପଞ୍ଜ ଆୟରନ୍ ୟୁନିଟ୍ ଗୁଡ଼ିକୁ ଅତ୍ୟଧିକ ପ୍ରଦୂଷଣକାରୀ ଶିଳ୍ପ ଭାବେ ଚିହ୍ନଟ କରିଥିଲେ ବୋର୍ଡ଼। ଗତ ମାର୍ଚ୍ଚ ୧୭ରୁ ୧୮ ମଧ୍ୟରେ ହୋଇଥିବା ନୂତନ ଯାଞ୍ଚ ପରେ ମିଳିଥିବା ଅନିୟମିତତା ସମ୍ପର୍କରେ ଉଲ୍ଲେଖ କରିଛନ୍ତି ପ୍ରଦୂଷଣ ବୋର୍ଡ।
ଗତ ୩୦ ତାରିଖରୁ ପ୍ଲାଣ୍ଟ ବନ୍ଦ କରିବା ପାଇଁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶ ଦେଇଥିଲା । କିନ୍ତୁ କମ୍ପାନୀ ଏହାକୁ ଅଣଦେଖା କରି କାରଖାନା ଚାଲୁ ରଖିଥିଲା । ଏହା ପରେ ପ୍ରଶାସନ ନିଜ ଆଡ଼ୁ ବନ୍ଦ ପ୍ରକ୍ରିୟା ଆରମ୍ଭ କରିଛି । କେବଳ କାରଖାନାର କାର୍ଯ୍ୟାଳୟ ଖୋଲା ରହିବ । କର୍ମଚାରୀମାନେ ଆଇଡି କାର୍ଡ ଦେଖାଇ କାରଖାନା ମଧ୍ୟକୁ ପ୍ରବେଶ କରିପାରିବେ ।