ପୁରୀ: ଆଜି ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି । ଏଥିଲାଗି ଶ୍ରୀଜୀଉଙ୍କ ସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ । ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ବୈଶାଖ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହମାନଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହୋଇଥାଏ । ଦ୍ୱିତୀୟ ଭୋଗମଣ୍ଡପ ସମ୍ପନ୍ନ ହେବା ପରେ ଦଇତାପତି ସେବକମାନେ ଶ୍ରୀଜିଉଙ୍କ ଏହି ସେବା କରିବେ । ଠାକୁରଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି ହୋଇଥାଏ । ପାଟବସ୍ତ୍ରକୁ ପଇତା ଭଳି ବଳାଯାଇ ଦାରୁଦେବତାଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥାଏ । ଶ୍ରୀଜିଉମାନଙ୍କ ଶରୀରରେ ଦୈନଦିନ ଲାଗି ହେଉଥିବା ଚନ୍ଦନର ସୁରକ୍ଷା ତଥା ଶ୍ରୀବିଗ୍ରହଙ୍କ ସୁରକ୍ଷା ପାଇଁ ଏହି ନୀତି କରାଯାଇଥାଏ । ଏହି ନୀତି ସ୍ୱତନ୍ତ୍ର ଗୁପ୍ତ ନୀତି ହୋଇଥିବାରୁ ଜୟ ବିଜୟ ଦ୍ୱାର ବନ୍ଦ ରହିବ । ସେଥିପାଇଁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ସୂଚିତ କରାଯାଇଛି ।