ରାଜ୍ୟରେ ଅକାଳ ବଜ୍ରପାତ ନେଇଛି ଦୁଇଟି ମୂଲ୍ୟବାନ ଜୀବନ। କଳାହାଣ୍ଡି ଓ ସମ୍ବଲପୁରରେ ଘଟିଛି ଏଭଳି ଦୁଃଖଦ ଘଟଣା।କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରେ ରବିବାର ମଧ୍ୟାହ୍ନରେ ଚାଷ କାମ ସରି ଘରକୁ ଫେରୁଥିବା ସମୟରେ ହଠାତ୍ ବଜ୍ରପାତ ଘଟିଥିଲା। ଏହାରେ ସଞ୍ଚିତା ବିଶ୍ୱାଳ ନାମକ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି।
ଏହା ସହ ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଅଞ୍ଚଳରେ ମଧ୍ୟ ବଜ୍ରପାତ ଆଉ ଗୋଟିଏ ପରିବାରର ଖୁସିକୁ ଶୋକରେ ପରିଣତ କରିଦେଇଛି। ବାଣିଝରଣ ନିକଟରେ ବଜ୍ରପାତ ହେବାରୁ ବୌଦ୍ଧ ଜିଲ୍ଲାର ବିପ୍ଲବ ବେହେରାଙ୍କ ମୃତ୍ୟୁ ଘଟିଛି। ସେ ନିଜ ପୁଅର ବିବାହ ପାଇଁ ଲଗ୍ନ ପତ୍ର ଦେବାକୁ ଗହିରପାଲି ଗ୍ରାମକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିଲା। ତାଙ୍କ ସହ ଥିବା ସାନ ଭାଇ ବଳରାମ ମଧ୍ୟ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ସୂଚନାଯୋଗ୍ୟ, ଆସନ୍ତା ଏପ୍ରିଲ ୨୫ ତାରିଖରେ ବିପ୍ଲବଙ୍କ ପୁଅର ବିବାହ ହେବାକୁ ଥିଲା। କିନ୍ତୁ ଏହି ଅକାଳ ବଜ୍ରପାତ ସମସ୍ତ ଖୁସିକୁ ମୁହୂର୍ତ୍ତରେ ଶୋକରେ ପରିଣତ କରିଦେଇଛି। ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଅଚାନକ ପାଣିପାଗ ପରିବର୍ତ୍ତନ ଓ ବଜ୍ରପାତ ନେଇ ସତର୍କ ରହିବାକୁ ଲୋକମାନଙ୍କୁ ଆହ୍ୱାନ କରାଯାଉଛି।
ଅଧିକ ପଢନ୍ତୁ: ଅଟିଜିମ୍ ଚିକିତ୍ସାରେ ଆସିବ ନିୟମ; କମିବ ଥେରାପି ଖର୍ଚ୍ଚ, ଖୁବଶୀଘ୍ର SOP ଆଣିବେ ସରକାର